Swiggyରେ କାମ କରୁଥିବା ଲୋକଙ୍କୁ ଝଟ୍‌କା! ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିବ କମ୍ପାନୀ

ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଆଶଙ୍କା ଭିତରେ ଅନେକ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ଛଟେଇ କରି ଦେଉଛନ୍ତି। ଆମାଜନ, ଟ୍ଵିଟର, ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଫୁଡ୍‌ ଡେଲିଭରି ସୁବିଧା ହେଉଥିବା କମ୍ପାନୀ ‘ସ୍ୱିଗି’ ମଧ୍ୟ କର୍ମଚାରୀ ଛଟେଇର ଯୋଜନା କରୁଛି। ସ୍ୱିଗି କହିଛି କି, କମ୍ପାନୀ ୧୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ।

ମିଳିଥିବା ସୂଚନା ମୁତାବକ, ସ୍ୱିଗିରେ ଆଗାମୀ ଛଟେଇ ଦ୍ୱାରା କମ୍ପାନୀର ପ୍ରଡକ୍ଟ, ଇଞ୍ଜିନିୟରିଂ ଏବଂ ସଞ୍ଚାଳନ ଭଳି କ୍ଷେତ୍ର ଯଥେଷ୍ଟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାଛଡ଼ା ସ୍ୱିଗିର ତ୍ୱରିତ ବାଣିଜ୍ୟ ବିତରଣ ସେବା ‘ଇନ୍‌ଷ୍ଟମାର୍ଟ’ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ସ୍ୱିଗି କର୍ମଚାରୀ ଛଟେଇ ନେଇ ମିଡିଆ ପ୍ରଶ୍ନର କେତେକ ଉତ୍ତର ଦେଇନାହିଁ। ଏହାପୂର୍ବରୁ ଡିସେମ୍ବରରେ ସାମ୍ନାକୁ ଆସିଥିବା ରିପୋର୍ଟରେ କୁହାଯାଇଥିଲା କି, ସ୍ୱିଗି ଆସନ୍ତା ଜାନୁୟାରୀରୁ ୨୫୦ରୁ ଅଧିକ କର୍ମଚାରୀ କିମ୍ବା ନିଜ କର୍ମଚାରୀଙ୍କ ୫ ପ୍ରତିଶତ ପର୍ଯ୍ୟନ୍ତ ଛଟେଇ କରିପାରେ।

ସୂତ୍ରରୁ ଜଣାପଡ଼ିଛି, ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କମ୍ପାନୀରେ ପାଖାପାଖି ୬ ହଜାର କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ଏକ ବୟାନରେ ସ୍ୱିଗି କହିଥିଲା କି, କୌଣସି ଛଟେଇ ହେଉନାହିଁ। ପ୍ରତି ପ୍ରଦର୍ଶନ ଚକ୍ର ସହିତ ଆମେ ଆଶା ରଖୁ କି, ଯେଉଁ ଛଟେଇ ହେଉ, ତାହା ପ୍ରଦର୍ଶନ ଆଧାରରେ ହିଁ ହେଉ।

ଗତ ଆର୍ଥିକ ବର୍ଷରେ ୧,୬୧୭ କୋଟି ଟଙ୍କା ତୁଳନାରେ ଆର୍ଥିକ ବର୍ଷ ୨୨ରେ ଅନଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମର କ୍ଷତି ଦୁଇ ଗୁଣା ବଢ଼ି ୩,୬୨୯ କୋଟି ଟଙ୍କା ହୋଇଯାଇଥିଲା। ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ୍‌ର ବାର୍ଷିକ ବିତ୍ତୀୟ ବିବରଣୀ ମୁତାବକ, ଆର୍ଥିକ ବର୍ଷ ୨୨ରେ ମୋଟ ଖର୍ଚ୍ଚ ୧୩୧ ପ୍ରତିଶତ ବଢ଼ି ୯,୫୭୪.୫ କୋଟି ଟଙ୍କା ହୋଇଥିଲା। ସେହିପରି ଆର୍ଥିକ ବର୍ଷ ୨୨ରେ ସ୍ୱିଗିର ରାଜସ୍ୱ ୨.୨ ଗୁଣା ବଢ଼ି ୫,୭୦୫ କୋଟି ଟଙ୍କା ହୋଇଥିଲା, ଯେତେବେଳେ କି, ଆର୍ଥିକ ବର୍ଷ ୨୧ରେ ଏହା ଥିଲା ୨,୫୪୭ କୋଟି ଟଙ୍କା।