ଦୁନିଆର ବଡ଼ ଧନୀ ଗୌତମ ଅଦାନୀ ଓ ଏଲନ୍‌ ମସ୍କଙ୍କୁ ଲାଗିଲା ବଡ଼ ଝଟ୍‌କା, ଗୋଟିଏ ଦିନରେ ହରାଇଲେ ୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଳୀ : ଭାରତ ସମେତ ବିଶ୍ୱ ସେୟାର ବଜାରରେ ବଡ଼ ପତନ ଘଟିଛି । ସୋମବାର ଶେୟାର ବଜାରରେ ଆସିଥିବା ପତନ କାରଣରୁ ଏହି ଦୁଇ ଧନୀ ବ୍ୟକ୍ତିଙ୍କୁ ଲାଗିଛି ବଡ଼ ଝଟ୍‌କା । ଉଭୟ ଆରବପତି ଗୋଟିଏ ଦିନରେ ୨ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାଯାଇଛି । ମସ୍କଙ୍କ କମ୍ପାନୀ ଟେସ୍ଲାର ସେୟାର ହ୍ରାସ ପାଇଥିବା ବେଳେ ଅଦାନୀଙ୍କ କମ୍ପାନୀଙ୍କ ଶେୟାରରେ ମଧ୍ୟ ବଡ଼ ହ୍ରାସ ଘଟିଛି ।

ଉଭୟ ଧନୀଙ୍କ ସମ୍ପତ୍ତି କମିଲା

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ସ୍ଥିତି ଦେଖିବାକୁ ଗଲେ ଉଭୟ ଆରବପତିଙ୍କର ମୋଟ ୨୫ ଆରବ ଡଲାର (ପ୍ରାୟ ୨ ଲକ୍ଷ କୋଟି ଟଙ୍କା) କ୍ଷତି ଘଟିଛି । ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଥିବା ଶିଳ୍ପପତି ଗୌତମ ଅଦାନୀଙ୍କ ସମ୍ପତ୍ତିର ୯.୬୭ ଆରବ ଡଲାର (ପ୍ରାୟ ୭୮ ହଜାର କୋଟି ଟଙ୍କା) ହ୍ରାସ ଘଟିଛି । ସେହିପରି ଏଲନ ମସ୍କଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧୫.୫ ଆରବ ଡଲାର (ପ୍ରାୟ ୧.୨୬ ଲକ୍ଷ କୋଟି ଟଙ୍କା) ହ୍ରାସ ପାଇଛି ।

ଅଦାନୀଙ୍କ ସେୟାର ନିମ୍ନକୁ ଯିବାର ପ୍ରଭାବ

ସୋମବାର ଭାରତୀୟ ସେୟାର ବଜାରରେ ଜବରଦସ୍ତ ପତନ ଘଟିଥିବା ଦେଖିବାକୁ ମିଳିଥିଲା । ଏହି ପତନ କାରଣରୁ ଅଦାନୀ ଗ୍ରୁପର ସେୟାରରେ ବଡ ପ୍ରଭାବ ଦେଖିବାକ ମିଳିଛି । ଅଦାନୀଙ୍କ ନେତୃତ୍ୱ ବାଲା କମ୍ପାନୀର ଷ୍ଟକ ଖସିଯିବାରୁ ଅଦାନୀଙ୍କ ସମ୍ପତ୍ତି ଉପରେ ଏହାର ବଡ଼ ପ୍ରଭାବ ପଡିଛି । ଫଳରେ ଅଦାନୀ ବିଶ୍ୱ ଆରବପତି ତାଲିକାରେ ୪ ର୍ଥ ନମ୍ବରକୁ ଖସି ଆସିଛନ୍ତି । ଖବର ଲେଖା ହେବା ଯାଏ ଅଦାନୀଙ୍କ ସମ୍ପତ୍ତି ୧୨୦ ଆରବ ଡଲାର ଥିଲା ।

ଟେସ୍ଲା ଷ୍ଟକ ମଧ୍ୟ ନିମ୍ନକୁ ଖସିଛି

ବିଶ୍ୱର ସବୁଠୁ ବଡ଼ ଧନୀ ଓ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା ସିଇଓ ଏଲନ ମସ୍କଙ୍କୁ ମଧ୍ୟ ବଡ଼ ଝଟକା ଲାଗିଛି । ଟେସଲା ସେୟାରରେ ଆସିଥିବା ପତନ କାରଣରୁ ମସ୍କଙ୍କ ସମ୍ପତ୍ତିରେ ୧୫.୫ ଆରବ ଡଲାର ହ୍ରାସ ଘଟିଛି । ଏହାଯୋଗୁ ତାଙ୍କର ମୋଟ ସମ୍ପତ୍ତି ୨୨୩ ଆରବ ଡଲାର ରହିଛି । ଏଲନ ମସ୍କ ଟପ୍‌ ୧୦ ବିଲେନିୟର ତାଲିକାର ଶୀର୍ଷ (୧ ନମ୍ବର)ରେ ରହିଥିଲେ ।

ମୁକେଶ ଅମ୍ବାନୀଙ୍କର ମଧ୍ୟ କ୍ଷତି ଘଟିଛି

ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଟପ୍‌ ୧୦ ତାଲିକାରେ ସାମିଲ ହୋଇଥିବା ଆଉ ଜଣେ ଭାରତୀୟ ଶିଳ୍ପପତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ମଧ୍ୟ ହ୍ରାସ ଘଟିଛି । ଅମ୍ବାନୀଙ୍କ ସମ୍ପତ୍ତିରେ ୮୨୧ ମିଲିୟନ ଡଲାରର ହ୍ରାସ ଘଟିଛି । ଏଥିସହିତ ତାଙ୍କର ସମ୍ପତ୍ତି ହ୍ରାସ ପାଇ ୮୧.୯ ଆରବ ଡଲାର ରହିଛି । ପ୍ରକାଶଯୋଗ୍ୟ, ରିଲାଏନ୍ସ ଚେୟାରମ୍ୟାନ୍‌ ବିଶ୍ୱର ୧୦ ମ ଧନୀ ଓ ଏସିଆର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.