ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ସାରା ଦେଶରେ ଲାଗୁ ହେଇପାରେ ଓ୍ଵାନ୍ ନେସନ୍ ଓ୍ଵାନ୍ ରେଟ୍

ଏବେ ଗୋଲ୍ଡ ଲଭର୍ସଙ୍କ ବଲ୍ଲେ ବଲ୍ଲେ । ରେଟକୁ ନେଇ ଆଉ ରହିବନାହିଁ ଚିନ୍ତା । ଏବେ ସାରା ଦେଶରେ ଯେଉଁଠାକୁ ବି ଯାଆନ୍ତୁ ପାଇବେ ଗୋଟିଏ ରେଟ୍ । ଅର୍ଥାତ୍ ଆପଣ ଓଡିଶାରେ ଯେତେ ଦାମରେ ସୁନା କିଣିଥିବେ, ମୁମ୍ବାଇରେ ବି ସେତିକି ଦାମରେ କିଣିପାରିବେ । ସାରା ଦେଶରେ ସୁନା ଦାମର ବୃଦ୍ଧିକୁ ଆଖି ଆଗରେ ରଖି ଏହାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବହୁତ ଜଲଦି ଲାଗୁ କରିପାରନ୍ତି ଓ୍ଵାନ୍ ନେସନ୍, ଓ୍ଵାନ୍ ରେଟ୍ ପଲିସୀ । ଏହି ପଲିସୀ ଲାଗୁ ହେବା ପରେ ପୂରା ଦେଶରେ ଆପଣଙ୍କୁ ସୁନା ଏବଂ ରୂପା କିଣିବା ପାଇଁ ହେଲେ ଗୋଟିଏ ସମାନ ରେଟ୍ ଦେବାକୁ ହେବ ।
ଆପଣ ତ ଜାଣିଛନ୍ତି ଭାରତରେ ଅଲଗା ଅଲଗା ସ୍ଥାନରେ ସୁନା ଏବଂ ରୂପା ଦାମରେ ପରିବର୍ତ୍ତନ ଦେଖାଯାଏ । କେଉଁ ସହରରେ ସୁନା ଦର ଅଧିକ ଥାଏ ତ ଆଉ କେଉଁଠି କମ୍ । ଅନେକ ରାଜ୍ୟରେ ତ ସୁନା ଏବଂ ରୂପା ଉପରେ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗିବା ପରେ ଏହାର ଦାମ୍ ଆହୁରି ବଢ଼ିଯାଇଥାଏ । ଏହାକୁ ନଜରରେ ରଖି ସରକାର ବହୁତ ଜଲଦି ସୁନା ଏବଂ ରୂପାର ଦାମକୁ ନେଇ ବଡ ପରିବର୍ତ୍ତନ କରିପାରନ୍ତି । ତେବେ କହିବାକୁ ଚାହିଁବୁ ଯେ ସରକାରଙ୍କ ଏହି ନୂଆ ପଲିସି ଓ୍ଵାନ୍ ନେସନ୍ ଓ୍ଵାନ୍ ରେଟ ପଦକ୍ଷେପ ସୁନା ରୂପା କ୍ରୟ କରୁଥିବା ଲୋକଙ୍କ ସହ ସୁନା କାରବାର କରୁଥିବା ଲୋକଙ୍କୁ ସହଜ ହୋଇଯିବ । ଏହି ପଲିସୀକୁ ଲାଗୁ କରିବା ପାଇଁ ଦେଶର ସମସ୍ତ ବଡ ବଡ ଜ୍ୱେଲର୍ସ ମଧ୍ୟ ନିଜର ସହମତି ଦେଇଛନ୍ତି ।
ସରକାର ଓ୍ଵାନ୍ ନେସନ୍, ଓ୍ଵାନ୍ ରେଟ ପଲିସୀକୁ ଲାଗୁ କରି ସାରା ଦେଶରେ ସୁନାର ଦାମ ବୃଦ୍ଧିକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି । ସରକାରଙ୍କର ଏହି ପଲିସୀକୁ ଜେମ୍ ଆଣ୍ଡ ଜ୍ୱେଲର୍ସ କାଉନସିଲ ମଧ୍ୟ ନିଜର ସମର୍ଥନ ଦେଇଛି । ଏହି ପଲିସିକୁ ଲାଗୁ କରିବା ପଛରେ ସବୁଠାରୁ ବଡ କାରଣ ଦେଶରେ ସୁନା ଏବଂ ରୂପାର ସମାନ ଦାମକୁ ଲାଗୁ କରିବା । କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହା ସାମ୍ନାକୁ ଆସିଛି ଯେ କେନ୍ଦ୍ର ସରକର ସେପ୍ଟେମ୍ବର ମାସରେ ଏହି ବିଷୟରେ ହେବାକୁ ଥିବା ବୈଠକ ପରେ ଏହାକୁ ଔପଚାରିକ ଭାବେ ଲାଗୁ କରିବାର ଘୋଷଣା ହୋଇପାରେ । ଏହାସହିତ ଏହା ମଧ୍ୟ ଜଣାପଡୁଛି ଯେ ଏହି ପଲିସିକୁ ଲାଗୁ କରିବା ପରେ ଆଗାମୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଗୋଲ୍ଡ ଇଣ୍ଡଷ୍ଟ୍ରୀ ମଧ୍ୟ ନୂଆ ଯୋଜନା ବନାଉଛି ।
ଦେଶରେ ଓ୍ଵାନ୍ ନେସନ୍ ଓ୍ଵାନ୍ ରେଟ୍ ପଲିସି ଲାଗୁ ହେବା ଦ୍ୱାରା ବଜାରରେ ଟ୍ରାନ୍ସପରେନ୍ସୀ ବଢ଼ିପାରେ । ଏହାସହିତ ସୁନାର ଦାମରେ ଯେଉଁ ଅନ୍ତର ଥିଲା ସେଥିରେ ମଧ୍ୟ କମ୍ ଆସିପାରେ । ଯଦି ଆପଣ ଏବେ ସୁନା କିଣୁଛନ୍ତି ତ ଜ୍ୱେଲର୍ସ ଆପଣଙ୍କ ଠାରୁ ମନ ଇଚ୍ଛା ରେଟ୍ ନେବ, କିନ୍ତୁ ଏହି ପଲିସି ଲାଗୁ ହେବା ପରେ ଏହା ଉପରେ ନିଶ୍ଚିତ ରୂପେ ଲଗାମ ଲାଗିପାରେ । ଗତ କିଛି ବର୍ଷରେ ସୁନାର ଦାମ୍ ଆକାଶ ଛୁଆଁ ହୋଇଯାଇଛି । ତେବେ ଏହି ପଲିସି ଲାଗୁ ହେବା ପରେ ନିହାତି ଭାବେ ଏଥିରେ ନିୟନ୍ତ୍ରଣ ଆସିପାରେ ।