ITR ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଇନକମ୍ ଟ୍ୟାକ୍ସ ଡିପାଟମେଣ୍ଟ ITR ଫାଇଲ୍ କରିବାର ଶେଷ ତାରିଖକୁ ଗୋଟିଏ ଦିନ ବୃଦ୍ଧି କରିଛି । ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ସୂଚନା ଅନୁସାରେ ଆଜି ଆଇଟିଆର ଦାଖଲ କରାଯାଇପାରିବ ।
ଗତକାଲି ITR ଦାଖଲର ଶେଷ ଦିନ ଥିଲା । ଇ ଫାଇଲିଂ ପୋର୍ଟାଲରେ ଯାନ୍ତ୍ରିକ ତ୍ରୁଟି ଓ ସମସ୍ୟା କାରଣରୁ ଅନେକ ଆୟକରଦାତା ରିଟର୍ଣ୍ଣ ଫାଇଲ କରିବାରେ ସମସ୍ୟା ଉପୁଜିଥିଲା । ଏଥିପାଇଁ ସମୟ ବୃଦ୍ଧି କରିବାକୁ କରଦାତାମାନେ ଦାବି କରିଥିଲେ । ଟିକସଦାତାଙ୍କୁ ଏକ ସୁଯୋଗ ପ୍ରଦାନ କରିବା ଲାଗି ଅବଧିକୁ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଆୟକର ବିଭାଗର ସୂଚନା ଅନୁସାରେ ୭ କୋଟିରୁ ଅଧିକ ITR ଦାଖଲ କରାଯାଇଥିବାବେଳେ ୪ କୋଟିର ପ୍ରକ୍ରିୟାକରଣ କରାଯାଇଛି । ପୂର୍ବରୁ ଆୟକର ଦାଖଲର ଶେଷ ତାରିଖ ଜୁଲାଇ ୩୧ ତାରିଖ ଥିବାବେଳେ ତାକୁ ବଢାଯାଇ ସେପଟେମ୍ବର ୧୫ ତାରିଖ କରାଯାଇଥିଲା ।
ଇନକମ୍ ଟ୍ୟାକ୍ସ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୫, ୨୦୨୫ ସୁଦ୍ଧା ରେକର୍ଡ ୭.୩ କୋଟି ଆଇଟିଆର୍ ଦାଖଲ କରାଯାଇଛି, ଯାହା ଗତ ବର୍ଷ ୭.୨୮ କୋଟି ଥିଲା । ଡିପାଟମେଣ୍ଟ କହିଛି ଯେ ଆମେ ଏହି ଉପଲବ୍ଧି ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ କରଦାତା ଏବଂ ଟିକସ ବୃତ୍ତିଗତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛୁ । ଏଥିସହ ଯେଉଁମାନେ ଏପର୍ଯ୍ୟନ୍ତ ୨୦୨୫-୨୬ ନିର୍ଦ୍ଧାରଣ ବର୍ଷ ପାଇଁ ଆଇଟିଆର୍ ଦାଖଲ କରିନାହାଁନ୍ତି ସେମାନଙ୍କୁ ସେମାନଙ୍କର ଆଇଟିଆର୍ ଦାଖଲ କରିବାକୁ ଅନୁରୋଧ କରୁଛୁ ।
Also read : ଇନଷ୍ଟଲମେଣ୍ଟରେ ମୋବାଇଲ୍ କିଣିଛନ୍ତି କି, ତେବେ କିସ୍ତି ନଭରିଲେ ଲକ୍ ହୋଇଯିବ ଫୋନ୍