ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । କେନ୍ଦ୍ର ସରକାର ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ବୃଦ୍ଧି କରିଛନ୍ତି । ଧାନର ଏମଏସପି ପ୍ରତି କ୍ବିଣ୍ଟାଲ ୨୩୦୦ ଟଙ୍କାକୁ ବୃଦ୍ଧି ହୋଇଛି । ଧାନର ମୂଲ୍ୟ କ୍ବିଣ୍ଟାଲ ପ୍ରତି ୧୧୭ ଟଙ୍କା ବୃଦ୍ଧି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏମଏସପି ବୃଦ୍ଧି କରାଯାଇଥିବାରୁ ଚାଷୀମାନଙ୍କୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ମିଳିବ । ଯାହା ପୂର୍ବ ଋତୁ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା ଅଧିକ ।

ହରଡ଼ ଡାଲିର ଏମଏସପି ପ୍ରତି କ୍ବିଣ୍ଟାଲ ୭ହଜାର ୪ଶହକୁ ବୃଦ୍ଧି କରାଯାଇଛି । ଯାହା ଗତ ବର୍ଷ ତୁଳନାରେ ୫୫୦ଟଙ୍କା ଅଧିକ । ମୁଗ କ୍ବିଣ୍ଟାଲ ପ୍ରତି ୮୬୮୨, ବାଜରା ୨୬୨୫ ଟଙ୍କା, ମାଣ୍ଡିଆ ୪୨୯୦ ଟଙ୍କା ଓ ମକା ୨୨୨୫ ଟଙ୍କା, ଚିନାବାଦାମ ୬୭୮୩, କପା ୭୧୨୧ଟଙ୍କା କରାଯାଇଛି । ବିରି ୭୪୦୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ଦାମ୍ ୭୨୮୦ ଟଙ୍କା, ସୋୟାବିନ୍ ୪୮୯୨ ଟଙ୍କାରେ ପହଞ୍ଚିଛି ।

କେନ୍ଦ୍ରରେ ମୋଦି ସରକାର ତୃତୀୟ ଥର ଶାସନକୁ ଆସିବା ପରେ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏମଏସପି ମୂଲ୍ୟ ବୃଦ୍ଧି ଫଳରେ ଚାଷୀଙ୍କୁ ତାଙ୍କ ଉତ୍ପାଦର ଲାଭକାରୀ ମୂଲ୍ୟ ୨୦୨୪-୨୫ ଖରିଫ ଋତୁରେ ସୁନିଶ୍ଚିତ କରାଯାଇପାରିବ ।

You might also like