ଏମ୍‌ଟିଏନଏଲ୍‌ ଓ ବିଏସ୍‌ଏନ୍‌ଏଲ୍‌ ର ପ୍ରାୟ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବେ ସରକାର

ନୂଆଦିଲ୍ଲୀ : ସରକାର ସର୍ବସାଧାରଣ କ୍ଷେତ୍ରରେ ଥିବା ଏମଟିଏନଏଲ ଓ ବିଏସ୍‌ଏନ୍‌ଏଲ ଟେଲିକମ କମ୍ପାନୀର ଅଚଳାଚଳ ସମ୍ପତ୍ତିକୁ ବିକ୍ରି କରିବାକୁ ଘୋଷଣା କରିଛନ୍ତି । ନିବେଶ ଓ ସର୍ବସାଧାରଣ କ୍ଷେତ୍ରରେ ଥିବା ସମ୍ପତ୍ତି ପ୍ରବନ୍ଧନ ବିଭାଗ ବା ଦୀପମ୍‌ (DIPAM) ର େଓ୍ଵବସାଇଟରେ ଅପଲୋଡ କରାଯାଇଥିବା ନୋଟିସ ଅନୁସାରେ ସରକାର ଟେଲିକମ କମ୍ପାନୀର ୧୧୦୦ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିବାକୁ ତା’ର ତାଲିକା ପ୍ରକାଶ କରିଛନ୍ତି ।

ବିଏସ୍‌ଏନଏଲର ଏହି ସମ୍ପତ୍ତି ହାଇଦ୍ରାବାଦ, ଚଣ୍ଡୀଗଡ଼, ଭାବନଗର ଓ କୋଲକାତା ରେ ରହିଛି । ବିକ୍ରି ପାଇଁ ଏହାର ସଂରକ୍ଷିତ ମୂଲ୍ୟ ୮୦୦ କୋଟି ଟଙ୍କା ହେବ । ସେହିପରି ମୁମ୍ବାଇର ଗୋରେ ଗାଓଁରେ ମଧ୍ୟ ୨୭୦ କୋଟି ଟଙ୍କାର ସମ୍ପତ୍ତିର ତାଲିକା ପ୍ରକାଶ କରିଛି ଦୀପମ୍‌ ।

ପ୍ରକାଶଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ସମ୍ପତ୍ତି ସବୁକୁ ବିକ୍ରି କରିବାକୁ ଏକ ଅନ୍ତରମନ୍ତ୍ରାଳୟ ଗଠନ କରାଯାଇଥିଲା । ଏହି କମ୍ପାନୀ ସବୁ ରିୟଲ ଏଷ୍ଟେଟକୁ ଖୋଜି ତା’ର ବିକ୍ରି ପାଇଁ ନୋଟିସ ଜାରି କରିବ । କମ୍ପାନୀର ଋଣ ସଂକଟ କାରଣରୁ କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ହେଉଛି । ଏହାଛଡ଼ା ସରକାର ସ୍ୱେଚ୍ଛାକୃତ ଅବସର ଯୋଜନା ମଧ୍ୟ ଆଣିଥିଲେ ।

ଯେଉଁଥିରେ ୯୦ ପ୍ରତିଶତରୁ ଅଧିକ କର୍ମଚାରୀ ଏହାକୁ ମାନି ନେଇଥିଲେ । ସରକାର ଏବେ ଟେଲିକମ କମ୍ପାନୀର ୪୦ ଟି ମୂଲ୍ୟବାନ ଜମିକୁ ବିକ୍ରି କରିବାକୁ ଚିହ୍ନଟ କରିଛନ୍ତି । ଯାହାର ମୂଲ୍ୟ ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏହି ସବୁ ସମ୍ପତ୍ତିର ବିକ୍ରି ପରେ ଟେଲିକମ୍‌ କମ୍ପାନୀର ହାଲତରେ ସୁଧାର ଆସିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.