ବିଦେଶ ଯାଉଥିବା ଲୋକଙ୍କର ୧୯ ପ୍ରକାରର ବ୍ୟକ୍ତିଗତ ତଥ୍ୟ ରଖିବେ ଭାରତ ସରକାର, ଏପ୍ରିଲ୍ ୧ରୁ ଲାଗୁ

ଏଣିକି ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ରଖିବେ ଭାରତ ସରକାର । ବିଦେଶ ଯାଉଥିବା ଲୋକଙ୍କଠାରୁ ସରକାର ୧୯ ପ୍ରକାରର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବେ । ଯାତ୍ରୀମାନେ କେବେ, କେଉଁଠି ଏବଂ କିପରି ଯାତ୍ରା କରୁଛନ୍ତି, ତାହା ଜାଣିବେ ସରକାର । ଏହିପରି ଯାତ୍ରା ଖର୍ଚ୍ଚ କିଏ ଏବଂ କିପରି ବହନ କଲା, କିଏ କେବେ କେତୋଟି ବ୍ୟାଗ୍ ନେଇକି ଗଲା ଏବଂ କେଉଁ ସିଟରେ ବସିଲା, ସେ ସବୁର ମଧ୍ୟ ତଥ୍ୟ ରଖିବେ କେନ୍ଦ୍ର ସରକାର ।

ଏହି ତଥ୍ୟଗୁଡ଼ିକ ୫ ବର୍ଷ ପାଇଁ ଷ୍ଟୋର୍ ରହିବ । ଆବଶ୍ୟକ ପଡ଼ିଲେ, ଏହାକୁ ଅନ୍ୟ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ମଧ୍ୟ ସେୟାର କରାଯିବ । ଏହାକୁ ଏପ୍ରିଲ୍ ୧ରୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି ।

ଚୋରା ଚାଲାଣ ଉପରେ ନଜର ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କଷ୍ଟମ୍ସ ବିଭାଗ ମଝିରେ ମଝିରେ ତଥ୍ୟ ବିଶ୍ଳେଷଣ କରିବ । କୌଣସି ବି ବ୍ୟକ୍ତିଙ୍କ ବିଦେଶ ଯାତ୍ରାରେ ଯଦି କିଛି ସନ୍ଦେହଜନକ ଜିନିଷ ନଜର ଆସେ, ତେବେ ତୁରନ୍ତ ତଦନ୍ତ ଆରମ୍ଭ କରାଯିବ ।

ଯାତ୍ରୀମାନଙ୍କର ଏହି ତଥ୍ୟକୁ କଷ୍ଟମ୍ସ ବିଭାଗ ସହ ସେୟାର କରିବା ଏୟାରଲାଇନ୍ସ ପାଇଁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (ସିବିଆଇସି) ବର୍ତ୍ତମାନ ସମସ୍ତ ବିଦେଶୀ ରୁଟର ଏୟାରଲାଇନ୍ସକୁ ଜାନୁଆରୀ ୧୦ ସୁଦ୍ଧା ନୂଆ ପୋର୍ଟାଲ୍ ‘NCTC-PAX’ରେ ପଞ୍ଜୀକରଣ କରିବାକୁ କହିଛି ।

ପଞ୍ଜୀକରଣ ପରେ ଫେବୃଆରୀ ୧୦ରୁ କିଛି ଏୟାରଲାଇନ୍ସ ସହ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଡାଟା ସେୟାରିଂ ବ୍ରିଜ୍ ଆରମ୍ଭ କରାଯିବ । ଏହାପରେ ଏପ୍ରିଲ୍ ୧ରୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ । ବୋର୍ଡ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ତଥ୍ୟ ସଂଗ୍ରହର ନିୟମ ୨୦୨୨ ପରଠାରୁ ଲାଗୁ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ବାଧ୍ୟତାମୂଳକ କରାଯାଉଛି ।