ଗାଡ଼ି ପାର୍ଟସରେ ଅଦଳବଦଳ କରୁଥିଲେ ହେବ ଜେଲ ଜରିମାନା, ଲାଗୁ ହେବାକୁ ଯାଉଛି ନୂଆ ଆଇନ୍‌

ମୋଦି ସରକାର ଶାସନ ଗାଦିକୁ ଆସିବା ପରେ ପ୍ରତିଦିନ କିଛି ନା କିଛି ଏମିତି ନିୟମ କରୁଛନ୍ତି, ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦେଶରୁ ଦୁର୍ନୀତି ହଟାଇବା ପାଇଁ ଏହି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଛନ୍ତି। ନିକଟରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରି ଚର୍ଚ୍ଚାରେ ଥିବା କେନ୍ଦ୍ର ସରକାର ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ସଂଶୋଧିତ ମୋଟରଯାନ ଅଧିନିୟମରେ ଏକ ନୂଆ ଧାରା ଯୋଗ କରାଯାଇଛି। ଏହି ନୂଆ ନିୟମ ଅନୁସାରେ ଏବେ ଯଦି କେହି ଗାଡ଼ିର ପାର୍ଟସରେ କିଛି ଅଦଳବଦଳ କରିଥିବା ଧରାପଡ଼େ ତେବେ ଆଇନ୍‌ ଅନୁସାରେ ସେ ଦଣ୍ଡିତ ହେବ।

ଏହାସହ ପଢ଼ନ୍ତୁ: ଇଟାଲୀରେ ଚାଲିଛି ବାଇକ୍‌ ମେଳା; ହିରୋ, କେଟିଏମ୍‌ ଓ ହୋଣ୍ଡା ଲଞ୍ଚ୍‌ କଲେ ନୂଆ ଦ୍ରୁତଗାମୀ ଦୁଇଚକିଆ ଯାନ

ସଡ଼କ ସୁରକ୍ଷାକୁ ନଜରରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। କିଛିଲୋକ ଗାଡ଼ିର ସ୍ପିଡ୍‌ ଗଭର୍ଣ୍ଣର, ଜିପିଏସ୍‌ ଏବଂ ସିଏନ୍‌ଜିରେ ଅଦଳବଦଳ କରିଥାନ୍ତି। ଏହାକୁ ରୋକିବା ପାଇଁ ନୂଆ ଆଇନ୍‌ରେ ଧାରା ୧୮୨ ଯୋଗ କରାଯାଇଛି। ଏହି ଧାରା ଅନୁସାରେ, ଗାଡ଼ିର ପାର୍ଟ ବା କମ୍ପୋନେଣ୍ଟ ସହ ଯଦି କେହି କିଛି ଏପଟସେପଟ କରିବାକୁ ଚେଷ୍ଟା କରେ ତେବେ ଉଭୟ କମ୍ପାନୀ ଓ ଗ୍ରାହକଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ସହ ଛଅ ମାସ କାରାଦଣ୍ଡ ହେବ।

ଏହି ନୂଆ ଧାରା ସମ୍ପର୍କରେ ସରକାର ଆସନ୍ତା ଡିସେମ୍ବରରେ ସରକାରୀ ଅଧିସୂଚନା ଜାରି କରିପାରନ୍ତି। ଧାରା ୧୮୨ ଉଭୟ କମର୍ସିଆଲ ଓ ପ୍ରାଇଭେଟ୍‌ ଯାନ ପାଇଁ ଲାଗୁ ହେବ ବୋଲି ଜଣାଯାଇଛି। ନୂଆ ନିୟମ ଅନୁସାରେ ଟ୍ରକ, ବସ୍‌, ଟ୍ରେକର ଭଳି କମର୍ସିଆଲ ଯାନର ବେଗ ହାଇେଓ୍ଵରେ ୮୦ କିଲୋମିଟର ପ୍ରତିଘଣ୍ଟା ଓ ସହର ମଧ୍ୟରେ ୪୦ରୁ ୬୦ କିଲୋମିଟରରୁ ଅଧିକ ହେବ ନାହିଁ ବୋଲି ନିୟମ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.