ସୁନା ପରେ ଏଣିକି ରୁପାରେ ବି ହେବ ହଲମାର୍କିଂ, ଏନେଇ ଖୁବ୍‌ ଶୀଘ୍ର ଆସିପାରେ ନିଷ୍ପତ୍ତି

ରୁପା ଅଳଙ୍କାର କିଣିବାରେ କିମ୍ବା ରୁପାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ସରକାର ଏକ ବଡ଼ ଖୁସି ଖବର ଆଣିଛନ୍ତି । ସୁନା ପରେ, ବର୍ତ୍ତମାନ ଭାରତ ସରକାର ରୁପା ଅଳଙ୍କାର ଉପରେ ହଲମାର୍କିଂ ବାଧ୍ୟତାମୂଳକ କରିବାକୁ ଯୋଜନା କରୁଛନ୍ତି । ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋମବାର ୭୮ ତମ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(BIS) ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗ୍ରାହକଙ୍କ ମଧ୍ୟରେ ରୁପା ହଲମାର୍କିଂ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଏହାର ଗୁଣାବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯିବା ଉଚିତ୍‌ । ତେଣୁ ବିଆଇଏସ୍‌ (BIS) ଏହା ଉପରେ ଆଲେଚନା କରି ନିଷ୍ପତି ନେଇପାରେ ବୋଲି ଯୋଶୀ କହିଛନ୍ତି ।

ବର୍ତ୍ତମାନ ସରକାର କେବଳ ସୁନା ଅଳଙ୍କାର ଏବଂ କଳାକୃତି ପାଇଁ ହଲମାର୍କିଂ କୁ ବାଧ୍ୟତାମୂଳକ କରିଛନ୍ତି । ଏହି ହଲମାର୍କିଂ ସିଷ୍ଟମ୍‌ରେ ଏକ ୬ ଅଙ୍କ ବିଶିଷ୍ଟ ଆଲ୍ଫାନିୟୁମେରିକ କୋଡ୍‌( HUID) ବ୍ୟବହାର କରାଯାଉଛି, ଯାହା ସୁନାର ଶୁଦ୍ଧତାକୁ ପ୍ରମାଣ କରିଥାଏ । ତେବେ ରୂପାକୁ ମଧ୍ୟ ହଲମାର୍କିଂ କରିବା ଦ୍ୱାରା ଭାରତରେ ମୂଲ୍ୟବାନ ଧାତୁର ଗୁଣାବତ୍ତା ନିୟନ୍ତ୍ରଣ ପଦକ୍ଷେପ ମଜବୁତ ହେବା ସହ ଏହା ଗ୍ରାହକଙ୍କ ମଧ୍ୟରେ ନିଜର ଶୁଦ୍ଧତା ପ୍ରମାଣିତ କରିବ ।

ସୂଚନା ଯୋଗ୍ୟ, ଆଜି ଭାରତୀୟ ବଜାରରେ ରୁପା ଦର  ଗ୍ରାମ ପିଛା ୯୧.୫୦ ଟଙ୍କା ରହିଥିବାବେଳେ କିଲୋ ପିଛା ୯୨, ୫୦୦ ଟଙ୍କା ରହିଛି । ଆଜି ଭୁବନେଶ୍ୱରରେ ରୂପା ମୂଲ୍ୟ ଗ୍ରାମ ପିଛା ୧୦୦ ଟଙ୍କା ରହିଥିବା ବେଳେ କିଲୋ ପିଛା ୧,୦୦,୦୦୦ ଟଙ୍କା ପହଁଚିଛି । ଅନ୍ୟପଟେ ଆଜି ମୁମ୍ବାଇରେ ରୁପା ମୂଲ୍ୟ ୯୧, ୪୦୦ ଥିଲାବେଳେ କୋଲାକାତାରେ ରୁପା ଦର ୯୦, ୪୦୦ ଟଙ୍କା ରହିଛି । ସେହିଭଳି ଦିଲ୍ଲୀରେ ରୁପା ଦର ୯୪,୫୦୦ ଟଙ୍କା ରହିବା ସହ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ରୁପା ଦର କେଜି ପିଛା ୯୮, ୯୦୦ ଟଙ୍କା ଥିବା ରେକର୍ଡ ହୋଇଛି ।