ପୁରୁଣା ଗାଡ଼ି ହୋଇପାରେ ମହଙ୍ଗା ! GST ୧୮% କରିବାକୁ ପ୍ରସ୍ତୁତି, କାଉନସିଲ୍ ବୈଠକରେ ନିଆଯାଇପାରେ ନିଷ୍ପତ୍ତି
ପୁରୁଣା ତଥା ବ୍ୟବହୃତ ଯାନର ମାର୍କେଟ୍ ବହୁତ ବଢ଼ିଯାଇଛି । ଅନେକ କମ୍ପାନୀ ସେମାନଙ୍କ ପୁରୁଣା ଗାଡ଼ିଗୁଡ଼ିକୁ କମ୍ ମୂଲ୍ୟରେ ବିକ୍ରି କରୁଛନ୍ତି । ଏବେ କିନ୍ତୁ ଏହି ପୁରୁଣା ଗାଡ଼ିଗୁଡ଼ିକର କ୍ରେତାମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ । କାରଣ, ଜିଏସଟି କାଉନସିଲ୍ EV ସମେତ ପୁରୁଣା ତଥା ବ୍ୟବହୃତ ଯାନ ଉପରେ ଜିଏସଟି ବଢ଼ାଇ ୧୮% କରିପାରେ । ବର୍ତ୍ତମାନ ଏହା ୧୨% ରହିଛି । ଯଦି ଏପରି ହୁଏ, ତେବେ ପୁରୁଣା ଗାଡ଼ିଗୁଡ଼ିକ ମହଙ୍ଗା ହୋଇପାରେ ।
ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜିଏସଟି କାଉନସିଲର ଫିଟମେଣ୍ଟ କମିଟି ପୁରୁଣା ଗାଡ଼ିଗୁଡ଼ିକ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ହାରକୁ ୧୨%ରୁ ବଢ଼ାଇ ୧୮% କରିବାକୁ ସୁପାରିଶ କରିଛି । ଏହା ବୈଦ୍ୟୁତିକ ଯାନ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହୋଇପାରେ ।
ସମ୍ପ୍ରତି ଗାଡ଼ିଗୁଡ଼ିକ ଉପରେ ସପ୍ଲାୟାରଙ୍କ ମାର୍ଜିନ ଆଧାରରେ ଟ୍ୟାକ୍ସ ଲାଗୁ ହୋଇଥାଏ, ଯାହା ଟିକସ ଭାରକୁ ଅପେକ୍ଷାକୃତ କମ୍ କରିଥାଏ । ଖାସ୍ କଥା ହେଉଛି, ବର୍ତ୍ତମାନ ନୂତନ ଇଭି ଯାନ ଉପରେ ୫% ଜିଏସଟି ଲାଗୁ କରାଯାଉଛି, ଯାହା ଦ୍ୱାରା ଏହି ସେକ୍ଟରରେ ଅଭିବୃଦ୍ଧି ଅଣାଯାଇ ପାରିବ । କିନ୍ତୁ ରି-ସେଲ୍ ଉପରେ ଯଦି ୧୮% ଜିଏସଟି ଲାଗୁ ହୁଏ, ତା’ ହେଲେ ସେକେଣ୍ଡ ହ୍ୟାଣ୍ଡ ଇଭି ପ୍ରତି ଗ୍ରାହକଙ୍କ ଆକର୍ଷଣ କମି ଯାଇପାରେ ।
ଏହା ପୂର୍ବରୁ ହିଁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ିର ମରାମତି ତଥା ରକ୍ଷଣାବେକ୍ଷଣ ପାଇଁ ବ୍ୟବହୃତ ଇନପୁଟ୍ ପାର୍ଟସ ଏବଂ ସର୍ଭିସେସ୍ ଉପରେ ୧୮% ଜିଏସଟି ଦର ଲାଗୁ ହୋଇଛି । ଏହାର ଅର୍ଥ, ପୂର୍ବରୁ ଏହି ଗାଡ଼ିଗୁଡ଼ିକର ରକ୍ଷଣାବେକ୍ଷଣା ଖର୍ଚ୍ଚ ବଢ଼ିସାରିଛି । ଯଦି ଜିଏସଟି ହାରରେ ବୃଦ୍ଧି ଘଟେ, ତେବେ ଏହା ଅଧିକ ମହଙ୍ଗା ହୋଇପାରେ ଏବଂ ସେକେଣ୍ଡ ହ୍ୟାଣ୍ଡ ଯାନର ମୋଟ ମୂଲ୍ୟ ଆହୁରି ବଢ଼ିପାରେ । ଏମିତି ପରିବର୍ତ୍ତନ ଦ୍ୱାରା ସେକେଣ୍ଡ ହ୍ୟାଣ୍ଡ ଯାନର କ୍ରେତାଙ୍କ ସଂଖ୍ୟା ହ୍ରାସ ପାଇବା ସହ ବିକ୍ରି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ ।
ସୂଚନାଥାଉ କି, ଜିଏସଟି କାଉନସିଲର ୫୫ତମ ବୈଠକ ଡିସେମ୍ବର ୨୧ରେ ରାଜସ୍ଥାନର ଜୈସଲମେରରେ ଆୟୋଜନ ହେବ । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ରାଜ୍ୟ ଅର୍ଥମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ।