ନିଜ ମଟରସାଇକେଲ ଓ ସ୍କୁଟରର ଦାମ୍ ବଢାଇଲା ହିରୋ, ଚଳିତ ମାସଠାରୁ ଲାଗୁ ହେଲା ନୂଆ ଦାମ୍

ପୃଥିବୀରେ ସବୁଠାରୁ ଅଧିକ ବାଇକ ବିକ୍ରି କରୁଥିବା ହିରୋ ମୋଟର କମ୍ପାନୀ ବର୍ତ୍ତମାନ ନିଜ ବାଇକର ଦାମ୍ ବଢାଇଛନ୍ତି। ଅକ୍ଟୋବର ୧ ତାରିଖ ଅର୍ଥାତ ଆଜିଠାରୁ ଏହା ଉପରେ ୨ ପ୍ରତିଶତ ଅଧିକ ଦାମ୍ ଲାଗୁ ହେବ ବୋଲି କମ୍ପାନୀ ସୂଚନା ଦେଇଛି।ସେହିପରି ବାଇକ ପ୍ରସ୍ତୁତିରେ ଅଧିକ ଖର୍ଚ୍ଚ ହେଉଥିବାରୁ କମ୍ପାନୀ ଏହିଭଳି ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନେଇଛି।
ତେବେ କମ୍ପାନୀ ଅକ୍ଟୋବର ୧ ତାରିଖରୁ ସେପ୍ଟେମ୍ବରରେ ବିକ୍ରି ହୋଇଥିବା ନିଜ ବାଇକର ବିକ୍ରିସଂଖ୍ୟା ଜାରି କରିଛି।ଏହି ସଂଖ୍ୟା ମୁତାବକ ସେପ୍ଟେମ୍ବର ମାସରେ ୭୧୫୭୧୮ ଟି ବାଇକ ବିକ୍ରିହୋଇଛି ଏବଂ ଏହା ପୂର୍ବ ବର୍ଷ ସେପ୍ଟେମ୍ବରରେ ବିକ୍ରି ହୋଇଥିବା ବାଇକ ତୁଳନାରେ ୧୭ ପ୍ରତିଶତ ଅଧିକ ହୋଇଥିବାର ସୂଚନା ମିଳିଛି। ତେବେ ପୂର୍ବ ବର୍ଷ କମ୍ପାନୀ ୬୧୨୨୦୪ଟି ବାଇକ ବିକ୍ରି କରିଛି। କରୋନା ସମୟରେ ମଧ୍ୟ ହିରୋ କମ୍ପାନୀ ୧୮.୧୪ ଲକ୍ଷରୁ ଅଧିକ ବାଇକ ବିକ୍ରି କରିବାରେ ସଫଳତା ହାସଲ କରିଛି।
ଆଗାମୀ ଦିନରେ ବିଭିନ୍ନ ପର୍ବପର୍ବାଣୀ ରହିଥିବାରୁ ବାଇକର ବିକ୍ରି ସଂଖ୍ୟା ବଢିଯିବ ବୋଲି କମ୍ପାନୀ ଦାବି କରିଛି। ଏହା ସହିତ କରୋନା କଟକଣା ପରେ ବଜାରରେ ବାଇକର ବିକ୍ରି ଦ୍ରୁତ ଗତିରେ ବଢୁଥିବାରୁ କମ୍ପାନୀକୁ ଏଥିରେ ଲାଭ ମିଳୁଛି ଓ ଏହା ସହିତ କମ୍ପାନୀ ନିଜର ୧୦୦ ପ୍ରତିଶତ କ୍ଷମତା ସହିତ ବାଇକର ପ୍ରଡକ୍ସନ ବଢାଇବାର ସମ୍ଭାବନା ରହିଛି।