ବାଇକ ଚଳାଇବା ସମୟରେ ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେଲେ ମିଳିବ ଦଣ୍ଡ

ସଡକ ସୁରକ୍ଷାକୁ ବଢ଼ାଇବାକୁ ଲକ୍ଷ୍ୟ ରଖି କେରଳ ମୋଟର ବାହନ ବିଭାଗ (ଏମଭିଡି) ବାଇକ୍ ଆରୋହୀଙ୍କୁ ଟାର୍ଗେଟ କରି ଏକ ନୂଆ ନିୟମ ପ୍ରଣୟନ କରିଛି । ନିୟମ ଅନୁଯାୟୀ ବାଇକ୍ ପଛରେ ବସିଥିବା ବ୍ୟକ୍ତିଙ୍କ ସହ ବାଇକ୍ ଆରୋହୀ କଥା ହେଲେ ମିଳିବ ଦଣ୍ଡ । ରିପୋର୍ଟ ଅନୁସାରେ ସଡକ ଦୁର୍ଘଟଣାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶର ଉଲ୍ଲଂଘନ ପାଇଁ ନିର୍ଦ୍ଦିଷ୍ଟ ଦଣ୍ଡ ପ୍ରକାଶ କରାଯାଇ ନାହିଁ କିନ୍ତୁ ଏହାର ଉଦ୍ଦେଶ୍ୟ ସ୍ପଷ୍ଟ ଯେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ।
ନିର୍ଦ୍ଦେଶାବଳୀ ଅନୁଯାୟୀ ବାଇକ୍ ପଛ ସିଟରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେବା ସମୟରେ ଚାଳକମାନେ ଧ୍ୟାନ ହରାଇପାରନ୍ତି, ଯାହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଥାଏ । କଥା ହେବା ଦ୍ୱାରା ଟ୍ରାଫିକରୁ ଧ୍ୟାନ ହଟିପାରେ, ଯାହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ବଢ଼ିଥାଏ ।
ଦୁଇ ଚକିଆ ଯାନ ଚଲାଇବା ସମୟରେ ଆପଣଙ୍କ ପଛରେ ବସିଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବିପଦଜନକ ହୋଇପାରେ କାରଣ ଏହା ବାଇକ ଆରୋହୀଙ୍କ ଧ୍ୟାନକୁ ହଟାଇଥାଏ । ଧ୍ୟାନ ହଟିବା ଦ୍ୱାରା ଟ୍ରାଫିକ୍ ସିଗନାଲ୍ ମଧ୍ୟ ଭାଙ୍ଗିଥାନ୍ତି ବାଇକ ଆରୋହୀ । କଥାବାର୍ତ୍ତା ହେବା ଦ୍ୱାରା ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ ଯାହା ବାଇକକୁ ଅଧିକ ଅସ୍ଥିର କରିପାରେ । ଖାସ୍ କରି ବାଇକ ଆରୋହୀ ଅଧିକ ବେଗରେ ଗାଡ଼ି ଚଳାଉଥିଲେ ନିୟନ୍ତ୍ରଣ ହରାଇ ପାରନ୍ତି । ରିପୋର୍ଟରେ କୁହାଯାଇଛି ଯେ ମିଳିତ ପରିବହନ କମିଶନର କେ ମନୋଜ କୁମାର ଆରଟିଓକୁ ଏହି ନିୟମକୁ କେହି ନମାନିିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ତେବେ ଏହି ନିର୍ଦ୍ଦେଶନାମା କିପରି କାର୍ଯ୍ୟକାରୀ ହେବ ସେନେଇ ଅଧିକାରୀମାନେ ଏବେ ଦ୍ୱନ୍ଦରେ ଅଛନ୍ତି ।