ଆୟକର ବିଭାଗ ଜାରି କଲା ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ, ଆପଣଙ୍କର ଆସିଛି କି ଟଙ୍କା ?ଫଟାଫଟ୍‌ ଯାଞ୍ଚ କରନ୍ତୁ ଷ୍ଟାଟସ୍‌

ଆୟକର ବିଭାଗ ଚଳିତ ବିତ୍ତୀୟ ବର୍ଷରେ ଏବେ ସୁଦ୍ଧା ୯୮ ଲକ୍ଷରୁ ଅଧିକ କରଦାତାଙ୍କୁ ୧.୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ରିଫଣ୍ଡ ଜାରି କରିଛି। ଏଥି ମଧ୍ୟରୁ ୧୨,୬୧୬.୭୯ କୋଟି ଟଙ୍କାର ୬୫.୩୧ ଲକ୍ଷ ରିଫଣ୍ଡ ୨୦୨୦-୨୧ (ଆକଳନ ବର୍ଷ ୨୦୨୧-୨୨)ର ରହିଛି। ବିଭାଗ ଏକ ଟ୍ଵିଟ୍‌ରେ କହିଛି କି, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ୧ ଏପ୍ରିଲରୁ ୮ ନଭେମ୍ବର ୨୦୨୧ ଭିତରେ ୯୮.୯୦ ଲକ୍ଷରୁ ଅଧିକ କରଦାତାଙ୍କୁ ୧,୧୫,୯୧୭ କୋଟି ଟଙ୍କାର ରିଫଣ୍ଡ ଜାରି କରିଛି।

ଏଥି ମଧ୍ୟରେ ୯୭.୧୨ ଲକ୍ଷ ବ୍ୟକ୍ତିଗତ କରଦାତାଙ୍କୁ ୩୬,୦୦୦ କୋଟି ଟଙ୍କା ଫେରସ୍ତ କରାଯାଇଛି। ଯେତେବେଳେ କି, ୧.୭୭ ଲକ୍ଷ କର୍ପୋରେଟ୍‌ କରଦାତାଙ୍କୁ ୭୯,୯୧୭ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ସେପଟେ ୨୦୨୦-୨୧ ପାଇଁ ଏ ପର୍ଯ୍ୟନ୍ତ ୨.୩୮ କୋଟିରୁ ଅଧିକ କରଦାତା ରିଟର୍ନ ଦାଖଲ କରିଛନ୍ତି। ସେଥିରୁ ୧.୬୮ କୋଟିରୁ ଅଧିକ ରିଟର୍ନ ପ୍ରକ୍ରିୟାକରଣ ହୋଇଥିବା ବେଳେ ୬୪ ଲକ୍ଷରୁ ଅଧିକ ମାମଲାରେ ରିଫଣ୍ଡ ଜାରି କରାଯାଇଛି। ବିଭାଗ କରଦାତାମାନଙ୍କୁ ଇ-ଫାଇଲିଙ୍ଗ୍‌ ପୋର୍ଟାଲ ଜରିଆରେ ୨୦୨୦-୨୧ ପାଇଁ ଜଲ୍‌ଦି ଆଇଟିଆର୍‌ ଦାଖଲ କରିବାକୁ ଅନୁରୋଧ କରିଛି। ଏହାର ଶେଷ ତାରିଖ ୩୧ ଡିସେମ୍ବର ରହିଛି। ସରକାର ଏଥି ପୂର୍ବରୁ ୨ ଥର ଏହି ତାରିଖ ବଢ଼ାଇ ସାରିଛନ୍ତି।

ଇ-ଫାଇଲିଙ୍ଗ୍‌ ପୋର୍ଟାଲରେ ଏମିତି କରନ୍ତୁ ଯାଞ୍ଚ

• www.incometax.gov.inକୁ ଯାଇ ୟୁଜର ଆଇଡି (ପ୍ୟାନ୍‌ ନମ୍ବର) ଏବଂ ପାସ୍‌ଓ୍ଵାର୍ଡ ପକାଇ ଲଗ୍‌ଇନ କରନ୍ତୁ।

• ଲଗ୍‌ଇନ ପରେ ‘ଇ-ଫାଇଲ୍‌’ ବକଳ୍ପକୁ ଯାଇ ‘ଆୟକର ରିଟର୍ନ’ ବାଛନ୍ତୁ ଏବଂ ପୁଣି ‘ଫାଇଲ କରାଯାଇଥିବା ରିଟର୍ନ ଦେଖନ୍ତୁ’ ଉପରେ କ୍ଲିକ୍‌ କରନ୍ତୁ।

• View Filed Returns ପେଜ୍‌ରେ ଆପଣ ନିଜେ ଦାଖଲ କରିଥିବା ସମସ୍ତ ରିଟର୍ନ ଦେଖି ପାରିବେ।

• ଏଥିରେ ରିଫଣ୍ଡ ଜାରି କରିବାର ତାରିଖ, ରିଫଣ୍ଡ ରାଶି ଏବଂ ଚଳିତ ବର୍ଷ ପାଇଁ ବକେୟା ଥିବା କୌଣସି ରିଫଣ୍ଡର କ୍ଲିୟରାନ୍ସ ତାରିଖ ମଧ୍ୟ ଦେଖାଯିବ।

NSDL େଓ୍ଵବସାଇଟ ପାଇଁ ଏହି ପଦ୍ଧତି

• https://tin.tin.nsdl.com/oltas/refund-status-pan.htmlକୁ ଯାଆନ୍ତୁ।

• ଏଥିରେ ଆପଣଙ୍କର ପ୍ୟାନ୍‌ କାର୍ଡ ନମ୍ବର ଦିଅନ୍ତୁ। ଏହାପରେ ସେହି ଆକଳନ ବର୍ଷ ଉପରେ କ୍ଲିକ୍‌ କରନ୍ତୁ, ଯାହାର ରିଫଣ୍ଡ ଷ୍ଟାଟସ୍‌ ଆପଣ ଯାଞ୍ଚ କରିବାକୁ ଚାହୁଁଛନ୍ତି।

• ବିତ୍ତୀୟ ବର୍ଷ ୨୦୨୦-୨୧ ପାଇଁ ଆକଳନ ବର୍ଷ ୨୦୨୧-୨୨ ହେବ।

• ଏହାପରେ କ୍ୟାପ୍‌ଚା ପକାଇ ସବ୍‌ମିଟ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କ ରିଫଣ୍ଡର ଷ୍ଟାଟସ୍‌ ଆଧାରରେ ସ୍କ୍ରିନ୍‌ରେ ଏକ ମେସେଜ୍‌ ଦେଖାଯିବ।

Leave A Reply

Your email address will not be published.