ଆୟକରଦାତାଙ୍କୁ ବଡ଼ ଆଶ୍ୱସ୍ତି, ୩ ଲକ୍ଷ ପର୍ଯ୍ୟନ୍ତ ଆୟରେ ଦେବାକୁ ପଡ଼ିବନି କୌଣସି ଟିକସ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଲକ୍ଷାଧିକ ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ଆୟକର ସ୍ଲାବରେ ପରିବର୍ତ୍ତନ କରି ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ବ୍ୟକ୍ତିଗତ ଆୟକର ସୀମା ଘୋଷଣା କରିଛନ୍ତି ସୀତାରମଣ । ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏହା ସହିତ ଟିକସ ଷ୍ଟ୍ରକ୍ଚରରେ ପରିବର୍ତ୍ତନ କରାଯିବ ।
ନୂତନ ଟିକସ ବ୍ୟବସ୍ଥାରେ ବର୍ତ୍ତମାନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ରହିବ ନାହିଁ । ୩ ଲକ୍ଷରୁ ୭ ଲକ୍ଷ ଟଙ୍କା ମଧ୍ୟରେ ୫ ପ୍ରତିଶତ ଟିକସ ଦେବାକୁ ପଡିବ । ୭ରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୦ ପ୍ରତିଶତ ହାରରେ ଟିକସ ଦେବାକୁ ହେବ । ୧୦ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୨ରୁ ୧୫ ଲକ୍ଷ ଟଙ୍କା ଆୟରେ ୨୦ ପ୍ରତିଶତ ହାରରେ ଟିକସ ଦିଆଯିବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ହାରରେ ଟିକସ ଦେବାକୁ ପଡିବ । ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
-୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ
-୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫%
-୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%
-୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%