ନୂଆବର୍ଷ ପୂର୍ବରୁ ଯାତ୍ରୀଙ୍କୁ ବଡ଼ ଝଟ୍‌କା ଦେଲା ରେଲଓ୍ଵେ, ରଦ୍ଦ କଲା ୪ ଟ୍ରେନ୍‌ ଚଳାଚଳ

ନୂଆବର୍ଷ ପୂର୍ବରୁ ହିଁ ରେଲଓ୍ଵେ ଯାତ୍ରୀମାନଙ୍କୁ ଝଟ୍‌କା ଦେଇଛି। ନୂଆବର୍ଷରେ ଘରକୁ ଫେରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଦୁଃଖଦ ଖବର। ରେଲଓ୍ଵେ ଦିଲ୍ଲୀରୁ ଯାଉଥିବା କେତେକ ଟ୍ରେନ୍‌ ଚଳାଚଳକୁ କିଛି ଦିନ ପାଇଁ ସ୍ଥଗିତ କରିଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା କେତେକ ଟ୍ରେନ୍‌କୁ କ୍ୟାନ୍‌ସଲ କରିଛି ରେଳ ବିଭାଗ। ଡେରାଡୁନ୍‌ ଆସୁଥିବା ଓ ଯାଉଥିବା ୪ ଟ୍ରେନ୍‌କୁ ୮ ଦିନ ପାଇଁ ରଦ୍ଦ କରାଯାଇଛି। ୨୯ ଡିସେମ୍ବରରୁ ୫ ଜାନୁଆରୀ ପର୍ଯ୍ୟନ୍ତ କ୍ୟାନ୍‌ସଲ କରାଯାଇଥିବା ଟ୍ରେନ୍‌ ମଧ୍ୟରେ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ମଧ୍ୟ ରହିଛି।

ରିପୋର୍ଟ ମୁତାବକ ହରିଦ୍ୱାରା-ଲକ୍ସର ମଧ୍ୟରେ ଟ୍ରେନ୍‌ ଲାଇନ୍‌ରେ କାମ ଚାଲିଛି। ଏହି କାରଣରୁ ରେଲଓ୍ଵେ ଏସବୁ ଟ୍ରେନ୍‌ ଚଳାଚଳ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ପ୍ରକାଶ ଯେ ଶୀତଦିନେ କୋହଲା ପାଗ ଓ କୁହୁଡ଼ି ସହ ଲଢ଼ିବା ପାଇଁ ରେଳ ବିଭାଗ ତରଫରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଉତ୍ତର ରେଲଓ୍ଵେ ତରଫରୁ ଟ୍ରାକ୍‌ ଚେକ୍‌ କରୁଥିବା କର୍ମଚାରୀଙ୍କୁ ଜିପିଏସ୍‌ଯୁକ୍ତ ହ୍ୟାଣ୍ଡ ହେଲ୍ଡ ଉପକରଣ ଦିଆଯାଇଛି। ଏହା ସାହାଯ୍ୟରେ ସେମାନେ ଟ୍ରାକ୍‌ରେ କିଛି ସମସ୍ୟା ହେଲେ ତୁରନ୍ତ ନିଜ ନିକଟତମ ଷ୍ଟେସନ୍‌ରେ ସୂଚନା ଦେଇପାରିବେ। କୁହୁଡ଼ିରେ ସିଗନାଲର ସୂଚନା ପାଇଁ ସମସ୍ତ ଇଞ୍ଜିନ୍‌ରେ ଫଗ୍‌ ସେଫ୍ଟି ଡିଭାଇସ୍‌ ଲଗାଯାଇଛି। ଫଳରେ କମ୍‌ ଦୃଶ୍ୟମାନ ହେଉଥିବା ବେଳେ ଡ୍ରାଇଭର ଆଗାମୀ ସିଗନାଲର ଅଡିଓ ଭିଜୁଆଲ ବିଷୟରେ ଜାଣିପାରିବେ। ଏଥିସହ ରେଳ ବିଭାଗ ତରଫରୁ କୁହାଯାଇଛି ଯେ ଯଦି ଟ୍ରେନ୍‌ ଚଳାଚଳ ଘଣ୍ଟାଏରୁ ଅଧିକ ଡେରି ହେବ ତେବେ ଯାତ୍ରୀଙ୍କୁ ବିଭାଗ ତରଫରୁ ତାଙ୍କ ରେଜିଷ୍ଟ୍ରେସନ୍‌ ମୋବାଇଲରେ ଏସ୍‌ଏମ୍‌ଏସ୍‌ ପଠାଇଦିଆଯିବ। ଯାତ୍ରୀଙ୍କୁ ଭୋଜନ ଦେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟଲ ଖୋଲିବାକୁ ନିୟମ କରାଯାଇଛି। ଏଥିସହ ସୁରକ୍ଷା ଦୃଷ୍ଟିରୁ ଜିଆରପି ଓ ଆରପିଏଫ୍‌ର ଅତିରିକ୍ତ ଯବାନମାନଙ୍କୁ ଡ୍ୟୁଟି ଦିଆଯିବ।