କରୋନାର ଦ୍ଵିତୀୟ ଲହରର ପ୍ରଭାବ ଟିକେ କମିଲା ପରେ ଏବେ ଧୀରେ ଧୀରେ ଜୀବନ ଯାତ୍ରା ସ୍ୱାଭାବିକ ହେଉଛି। ଏଣୁ କେତେକ ସ୍ଥାନରେ ରେଳ ଚଳାଚଳ ବି ଆରମ୍ଭ ହୋଇଗଲାଣି। ତେବେ ଟ୍ରେନରେ ଟିକେଟ ବୁକିଂ କରିବା ପରେ ବେଳେବେଳେ ଯାତ୍ରୀ କୌଣସି କାରଣବଶତଃ ଯାତ୍ରା କରିପାରିନଥାନ୍ତି। ଏଭଳି ସ୍ଥିତିରେ ସେମାନେ ଭାବନ୍ତି ଯେ ତାଙ୍କ ଟିକେଟ ଆଉ କୋଉ କାମକୁ ନୁହେଁ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ କନଫର୍ମ ଟିକେଟ ବଦଳରେ ବି କେହି ଅନ୍ୟ ବ୍ୟକ୍ତି ଯାତ୍ରା କରିପାରିବେ।
ରେଲୱେ ନିୟମ ମୁତାବକ ଟ୍ରେନରେ ଯାତ୍ରା କରିବାର ୨୪ ଘଣ୍ଟା ପୂର୍ବରୁ କୌଣସି ଯାତ୍ରୀ ନିଜ ପରିବାରର ସଦସ୍ୟ ଯଥା: ବାପା-ମା, ସ୍ୱାମୀ-ସ୍ତ୍ରୀ, ପୁଅ-ଝିଅ, ଭାଇ-ଭଉଣୀଙ୍କ ନାଁରେ ନିଜ ଟିକେଟକୁ ଟ୍ରାନ୍ସଫର୍ କରିପାରିବେ। ରେଳ ମନ୍ତ୍ରାଳୟର ୧୯୯୦ ନିୟମ ଆଧାରରେ ୩ ଜୁନ ୨୦୦୬ ରେ ଜାରି ହୋଇଥିବା ସର୍କୁଲାରରେ ଏହା ସ୍ପଷ୍ଟ କରାଯାଇଛି।
ସର୍କୁଲାରରେ କୁହାଯାଇଛି ଯେ ଟ୍ରେନରେ ଯାତ୍ରା ପୂର୍ବରୁ ପରିବାରର ସଦସ୍ୟଙ୍କୁ ପ୍ରମାଣ ଦେବାକୁ ହେବ ଯେ ଟିକେଟ ହୋଇଥିବା ଯାତ୍ରୀ ତାଙ୍କ ପରିବାରର ଓ ସେ କୌଣସି କାରଣରୁ ନିଜ ଟିକେଟରେ ଯାତ୍ରା କରିପାରୁନାହାନ୍ତି। ତେବେ ଧ୍ୟାନ ରଖନ୍ତୁ ଏହି ନିୟମ କେବଳ କନଫର୍ମ ଟିକେଟ ଉପରେ ହିଁ ଲାଗୁ ହେବ।