ଇନଫୋସିସ୍‌ କୁ ବଡ ଝଟକା, ଗୋଟିଏ ଦିନରେ ନିବେଶକ ହରାଇଲେ ୫୩,୫୪୧ କୋଟି

ଦେଶର ଆଗ ଧାଡ଼ିର ଆଇଟି କଂପାନି ଇନଫୋସିସ୍ ପୁଣି ଥରେ ବିବାଦ ମଧ୍ୟରେ ଫସିଯାଇଛି। କଂପାନିର ସିଇଓ ଏବଂ ସିଏଫ୍ଓଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। କଂପାନି ତରଫରୁ ଅଭିଯୋଗର ତଦନ୍ତ ନିର୍ଦେଶ ଦିଆଯାଇଛି ବୋଲି ଅଧ୍ୟକ୍ଷ ନନ୍ଦନ ନିଲେକାନି ସୂଚନା ଦେଇଛନ୍ତି। ତଦନ୍ତରେ ଯେଭଳି କୌଣସି ବାଧା ସୃଷ୍ଟି ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ସିଇଓ ସଲିଲ୍ ପାରେଖ ଓ ସିଏଫ୍ଓ ନିଲଞ୍ଜନା ରାୟଙ୍କ ଠାରୁ ଦାୟିତ୍ବ ପ୍ରତ୍ୟାହାର କରାଯାଇଛି।

ଏହି ଘଟଣାର ପ୍ରଚାର ହେବା ପରେ ଷ୍ଟକ ବଜାର ଇନଫୋସିସ୍ ନିବେଶକମାନଙ୍କୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। କଂପାନିର ସେୟାର ଦାମ୍ ଆଜି ୧୭% କମିଯାଇଛି। ଫଳରେ ଇନଫୋସିସ୍ ନିବେଶକମାନଙ୍କର ୫୩ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ପୁଞ୍ଜି ବଜାରରେ ଗତକାଲି ଇନଫୋସିସ୍ ବଜାର ମୂଲ୍ୟ ୨ ଲକ୍ଷ ୭୪ ହଜାର କୋଟି ଟଙ୍କା ଥିବା ବେଳେ ଆଜି ତାହା ୨ ଲକ୍ଷ ୨୭ ହଜାର କୋଟି ଟଙ୍କାକୁ ଖସିଯାଇଛି। ନିବେଶକମାନେ ନିଜ ପାଖରେ ଥିବା ଇନଫୋସିସ୍ ସେୟାର କମ୍ ଦାମରେ ବିକ୍ରି କରିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଥି ସହିତ ଇନଫୋସିସ୍ ସେୟାରର ମୂଲ୍ୟ ବିଗତ ୬ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଯାଇଛି।

infosyssରିପୋର୍ଟ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ସିଇଓ ଓ ସିଏଫ୍ଓଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏବେ ତାହାର ତଦନ୍ତ ଦାୟିତ୍ବ କଂପାନିର ଅଡିଟ୍ କମିଟିକୁ ପ୍ରଦାନ କରାଯାଇଛି। ଇନଫୋସିସ୍ ସିଇଓ ଏବଂ ସିଏଫ୍ଓଙ୍କ ନାମରେ ଦୁଇଟି ଅଭିଯୋଗ ଆସିଛି। ସିଇଓଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଓ ମୁମ୍ବାଇ ଗସ୍ତକୁ ନେଇ ଏକ ଅଭିଯୋଗ ଆସିଛି। ଏହି ଅଭିଯୋଗର ସ୍ବାଧୀନ ତଦନ୍ତ କରିବା ଲାଗି କଂପାନିର ଅଡିଟ୍ କମିଟି ଆଇନ ସଂସ୍ଥା ସର୍ଦୁଲ ଅମରଚାନ୍ଦ ମଙ୍ଗଳ ଦାସ ଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ତଦନ୍ତର ରିପୋର୍ଟ ମିଳିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ନିଲେକାନି ପ୍ରତିଶ୍ରୁତି ଦେଇଛନ୍ତି।

ଏହାସହ ପଢନ୍ତୁ: SBI ରେ ଚାକିରୀ ପାଇବାର ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ବିବାଦ ଇନଫୋସିସ୍ ପାଇଁ ନୂଆ ନୁହେଁ। ଦୁଇ ବର୍ଷ ତଳେ ଏହାର ଅନ୍ୟତମ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି ଓ ସେହି ସମୟରେ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିବା ବିଶାଳ ସିକ୍କାଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା । ଇନଫୋସିସ୍ କର୍ପୋରେଟ୍ ପ୍ରଶାସନ ନିୟମର ଉଲ୍ଲଂଘନ ହେଉଛି ବୋଲି ନାରାୟଣମୂର୍ତ୍ତି ଅଭିଯୋଗ କରିଥିଲେ। ସେହି ସମୟରେ ସିକ୍କାଙ୍କୁ ନେଇ କଂପାନିର ପରିଚାଳନା କର୍ତ୍ତୃପକ୍ଷ ଏବଂ ନାରାୟଣମୂର୍ତ୍ତିଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ସିକ୍କାଙ୍କୁ ସିଇଓ ପଦ ହରାଇବାକୁ ପଡ଼ିଥିଲା।