ବର୍ତ୍ତମାନ ସବୁ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ବିମା। ଜୀବନରେ କେବେବି ଦୁର୍ଘଟଣା ଘଟିପାରେ। ଏଥିପାଇଁ ସବୁ ବ୍ୟକ୍ତିଙ୍କ ପାଖରେ ଏକ ଏମିତି ବିମା ପଲିସି ରହିବା ଜରୁରୀ, ଯାହା ଦୁର୍ଘଟଣା ସମୟରେ ହେବାକୁ ଥିବା ଚିକିତ୍ସାର ଖର୍ଚ୍ଚ ବି ଦେବ ତାସହିତ ମୃତ୍ୟୁ ହେବା ପରେ କ୍ଲେମ ବି ଦେଉଥିବ। ଆଜି ବି ଭାରତରେ ବହୁତ ଲୋକ ଅଛନ୍ତି ଯେଉଁମାନେ ବିମା କରିନାହାଁନ୍ତି। ଏହାର ଏକ ମୁଖ୍ୟ କାରଣ ହେଉଛି ବିମା ପ୍ରିମିୟମ ମହଙ୍ଗା ହେବା। ତେବେ ଏହାକୁ ଧ୍ୟାନରେ ରଖି ଭାରତୀୟ ଡାକ ବିଭାଗ ଏକ ସାମୂହିକ ଦୁର୍ଘଟଣା ସୁରକ୍ଷା ବିମା ପଲିସି ନେଇ ଆସିଛି।
ଏହି ପଲିସିରେ ପ୍ରାୟ ୨୯୯ ଏବଂ ୩୯୯ ଟଙ୍କା ପ୍ରିମିୟମ୍ ଭରି ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କାର ବିମା କଭର ପାଇପାରିବ। ଏହାଦ୍ୱାରା ବିମା ପଲିସିକୁ ପ୍ରତି ବର୍ଷ ରିନ୍ୟୁ କରିବା ଜରୁରୀ ଏବଂ ଏଥିପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଖାତା ହେବା ମଧ୍ୟ ଜରୁରୀ। ଇନସୁରାନ୍ସ ପଲିସିରେ ପଲିସିଧାରକ ଦୁର୍ଘଟଣାରେ ଆହତ ହେବା ଦ୍ୱାରା ଆଇପିଡି ଖର୍ଚ୍ଚ ପାଇଁ ୬୦ ହଜାର ଏବଂ ଓପିଡି ପାଇଁ ୩୦ ହଜାର ଖର୍ଚ୍ଚ ମିଳିବ।
ଭାରତୀୟ ଡାକ ବିଭାଗ ଏହି ଆକ୍ସିଡେଣ୍ଟାଲ ଇନସୁରାନ୍ସ ପଲିସି ଟାଟା ଏଆଇଜି ସହିତ ମିଶି ଆଣିଛି। ଏଥିରେ ଦୁଇଟି ପ୍ଲାନ୍ ରହିଛି। ଗୋଟିଏରେ ବାର୍ଷିକ ୨୯୯ ଟଙ୍କାର ପ୍ରିମିୟମ ଦେବାକୁ ହେବ ଏବଂ ଅନ୍ୟଟିରେ ୩୯୯ ଟଙ୍କା ଭରିବାକୁ ହେବ। ଯଦି କୌଣସି ବ୍ୟକ୍ତି ୨୯୯ ଟଙ୍କିଆ ପ୍ଲାନ୍ ଚୟନ କରୁଛନ୍ତି ତାହେଲେ ତାଙ୍କୁ ୧୦ ଲକ୍ଷ ଟଙ୍କାର ବୀମା କଭର ମିଳିବ। ଯଦି ବୀମାଧାରକ କୌଣସି ଦୁର୍ଘଟଣାର ଶିକାର ହୁଅନ୍ତି, ତାହେଲେ ସେ ହସ୍ପିଟାଲରେ ଭର୍ତ୍ତି ହେଲେ ତାଙ୍କର ଖର୍ଚ୍ଚ ଏହି ପଲିସି ଦ୍ୱାରା ହୋଇପାରିବ। ହସ୍ପିଟାଲରେ ଚିକିତ୍ସା ସମୟରେ ୬୦,୦୦୦ ଟଙ୍କା ପର୍ଯ୍ୟନ୍ତଦ ଆଇପିଡି ଖର୍ଚ୍ଚ ଏବଂ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତର ଓପିଡି କ୍ଲେମ ଦିଆଯିବ।
ଆଉ ଯଦି ଦୁର୍ଘଟଣାରେ ବୀମାଧାରକଙ୍କ ମୃତ୍ୟୁ ହୋଇଯାଏ ତାହେଲେ କ୍ଷତିପୂରଣ ବାବଦକୁ ପରିବାରକୁ ୧୦ ଲକ୍ଷ ଟଙ୍କା ଦିଆଯାଇଥାଏ। କେବଳ ଏତିକି ନୁହେଁ ଯଦି ବୀମା ଧାରକ ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ ହୋଇଯାନ୍ତି ତାହେଲେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥାଏ। ୧୦ ଲକ୍ଷ ଟଙ୍କାର କ୍ଲେମ ହିଁ ଆଂଶିକ ରୂପେ ଭିନ୍ନକ୍ଷମ ହେଲେ ଦିଆଯାଇଥାଏ। ବୀମାଧାରକଙ୍କ ମୃତ୍ୟୁ ହେଲେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାରକୁ ୫,୦୦୦ ଟଙ୍କା ମିଳିଥାଏ। ବୀମାଧାରକଙ୍କ ପରିବାର ଯଦି ଅନ୍ୟ ସହରରେ ରହୁଥାନ୍ତି ତାହେଲେ ସେଠାରୁ ଯିବା ଆସିବା ଖର୍ଚ୍ଚ ମଧ୍ୟ ଏହି ପଲିସିରେ କଭର ହୋଇଥାଏ। ସେହିପରି ୩୯୯ ଟଙ୍କାର ପ୍ଲାନରେ ସମସ୍ତ କ୍ଲେମ ତ ମିଳିଥାଏ, ତାସହିତ ପରିବାରର ୨ ଜଣ ପିଲାଙ୍କୁ ପଢ଼ା ଖର୍ଚ୍ଚ ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।