ପୁଣିଥରେ ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌, ଏବେ କେତେ ଟଙ୍କାରେ କିଣିବେ ଜାଣନ୍ତୁ

ପୁଣିଥରେ ବଢ଼ିଲା ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌। ତୈଳ କମ୍ପାନୀଗୁଡ଼ିକ ସିଲିଣ୍ଡରର ଦାମ୍‌ ପୁଣି ୨୫ ଟଙ୍କା ବଢ଼ାଇ ଦେଇଛନ୍ତି। ନୂତନ ଦାମ୍‌ ଲାଗୁ ହେବା ପରେ ଦିଲ୍ଲୀରେ ଏଲ୍‌ପିଜି ଦର ୮୫୯.୫ ଟଙ୍କା ହୋଇଛି। ଏହା ପୂର୍ବରୁ ଜୁଲାଇରେ ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨୫.୫୦ ଟଙ୍କା ବଢ଼ିଥିଲା।

ଜୁନ୍‌ ମାସରେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୮୦୯ ଟଙ୍କା ଥିଲା। ଏହା ଜୁଲାଇରେ ବଢ଼ି ୮୩୪ ଟଙ୍କା ହୋଇଥିଲା। ଅନ୍ୟପଟେ ଯଦି ଜାନୁଆରୀରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବଢ଼ିଥିବା ଗ୍ୟାସ୍‌ ଦରକୁ ଦେଖିବା ତେବେ ବିଗତ ୮ ମାସ ମଧ୍ୟରେ ସିଲିଣ୍ଡରର ଦାମ୍‌ ୧୬୫ ଟଙ୍କା ବଢ଼ିଥିବା ସୂଚନା ମିଳିଛି।

ସିଲିଣ୍ଡରର ଦାମ୍‌ ବଢ଼ିବା ପରେ କୋଲକାତାରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଏବେ ୮୮୬ ଟଙ୍କାରେ ମିଳିବ। ସେହିପରି ମୁମ୍ବାଇରେ ଏହାର ଦାମ୍‌ ୮୫୯.୫ ଟଙ୍କା ରହିଛି। ଅନ୍ୟପଟେ ଲକ୍ଷ୍ନୌରେ ଏବେ ୮୯୭.୫ ଟଙ୍କାରେ ଘରୋଇ ଗ୍ୟାସ୍‌ ଉପଲବ୍ଧ ହେବ।

ସୂଚନାଯୋଗ୍ୟ ଯେ ତେଲ କମ୍ପାନୀ ପ୍ରତିମାସରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ସମୀକ୍ଷା କରିଥାନ୍ତି ଓ ତା’ ପରେ ବଢ଼ାଇବେ କି କମାଇବେ ସେ ନେଇ ନିଷ୍ପତ୍ତି ନେଇଥାନ୍ତି। ପ୍ରତି ରାଜ୍ୟରେ ଭିନ୍ନ ଭିନ୍ନ ଟ୍ୟାକ୍ସ ଆଦାୟ ହେଉଥିବାରୁ ସିଲିଣ୍ଡରର ଦାମ୍‌ ବି ଉଣା ଅଧିକେ ଏପଟ ସେପଟ ରହିଥାଏ।

ପ୍ରକାଶ ଯେ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ ଟି ଘରୋଇ ସିଲିଣ୍ଡର ଉପରେ ସବ୍‌ସିଡି ଦେଇଥାନ୍ତି। ଯଦି କୌଣସି ଗ୍ରାହକ ଏହାଠୁ ଅଧିକ ସିଲିଣ୍ଡର ଖର୍ଚ୍ଚ କରୁଥାନ୍ତି ତେବେ ତାଙ୍କୁ ବଜାର ଦର ହିସାବରେ ମୂଲ୍ୟ ଦେବାକୁ ପଡ଼ିଥାଏ।

You might also like