ପେଟ୍ରୋଲ ପରେ ଏବେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ହେଲା ନୂଆ ଦର

ଆଜିଠାରୁ ସାଧାରଣ ଜନତାଙ୍କର ମହଙ୍ଗା ବୋଝ ଆହୁରି ବଢ଼ିଯାଇଛି। ଏବେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛି। ଆଉ ଏମିତି ମହଙ୍ଗା ସ୍ଥିତିରେ ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଆଜି ଅର୍ଥାତ୍ ଜୁଲାଇ ୧ତାରିଖରୁ ଇଣ୍ଡେନରୁ ସିଲିଣ୍ଡର ଭରିବା ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ସୂଚନା ମୁତାବକ ମେ’ ଏବଂ ଜୁନ୍ ମାସରେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ଟଙ୍କା ହ୍ରାସ କରାଯାଇଥିଲା । ଆଜି ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୩୪ ଟଙ୍କା ରହିଛି ।
ଜୁନ୍ ୧ରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦର ୧୨୨ଟଙ୍କା ହ୍ରାସ କରାଯାଇଥିଲା । କିନ୍ତୁ ଚଳିତ ମାସରେ ଏହାର ଦର ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍ର ୱେବସାଇଟ୍ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ଏହାର ଦର ସିଲିଣ୍ଡର ପିଛା ୧୪୭୩.୫ରୁ ୧୫୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ସରକାରୀ ତୈଳ କମ୍ପାନୀ ପ୍ରତି ମାସ ପ୍ରଥମ ତାରିଖରେ ଗ୍ୟାସ୍ ସିଲିଣ୍ଡର ଦାମରେ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଗତ ମାସ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହାପୂର୍ବରୁ ଏଲପିଜି ସିଲିଣ୍ଡର ଦାମ ଉପରେ ୧୦ ଟଙ୍କା ହ୍ରାସ କରାଯାଇଥିଲା, କିନ୍ତୁ ଫେବୃୟାରୀ ଏବଂ ମାର୍ଚ୍ଚରେ ଦାମ ବୃଦ୍ଧି ହୋଇଥିଲା।
ଦିଲ୍ଲୀରେ ଚଳିତ ବର୍ଷ ଜାନୁଆରୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହାପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା କରାଯାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା କରାଯାଇଥିଲା ।