ଅକ୍ଟୋବର ୧ ରୁ ଇନକମ୍ ଟ୍ୟାକ୍ସର ୬ଟି ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଅକ୍ଟୋବର ୧ ରୁ ଆୟକର ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରାଯାଉଛି । ଏହି ନିୟମଗୁଡିକ ଚଳିତ ବର୍ଷ ଜୁଲାଇରେ ଉପସ୍ଥାପିତ ବଜେଟରେ ଉଲ୍ଲେଖ କରାଯାଇଥିଲା । ଯେଉଁ ପରିବର୍ତ୍ତନଗୁଡ଼ିକ ଘଟିବ ସେଥିରେ ସାମିଲ ଅଛି ଆଧାର କାର୍ଡ, STT, TDS ରେଟ୍ ଇତ୍ୟାଦି । ତେବେ ଜଣେ ନିୟମିତ ଆୟକର ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ କିମ୍ବା ପ୍ରଥମ ଥର ପାଇଁ ଟ୍ୟାକ୍ସ ଫାଇଲ କରୁଥିବା ବ୍ୟକ୍ତି , ଏହି ସବୁ ପରିବର୍ତ୍ତିତ ନିୟମ ବିଷୟରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ଯଦି ଆପଣ ଏହି ନିୟମ ବିଷୟରେ ଅବଗତ ନାହାନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଅକ୍ଟୋବର ୧ରୁ ପରିବର୍ତ୍ତନ ହେଉଥିବା ଏହିସବୁ ନିୟମ ଗୁଡିକ କ’ଣ?

1) STT:
ଜୁଲାଇ ୨୦୨୪ ରେ ଉପସ୍ଥାପିତ ହୋଇଥିବା ବଜେଟରେ ଫ୍ୟୁଚର ଆଣ୍ଡ ଅପ୍ସନ୍ସ (F&O) ଉପରେ ସିକ୍ୟୁରିଟି ଟ୍ରାନଜାକସନ୍ ଟ୍ୟାକ୍ସ (STT) ବୃଦ୍ଧି କରିବାକୁ କୁହାଯାଇଥିଲା । ପରେ ଫ୍ୟୁଚର ଉପରେ STT ୦.୦୨ ପ୍ରତିଶତ ଏବଂ ଅପ୍ସନ୍ସ ଉପରେ ୦.୧ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ହିତାଧିକାରୀମାନେ ସେୟାର ବାଏ ବ୍ୟାକ୍ ଆୟ ଉପରେ ମଧ୍ୟ ଟିକସ ଦେବେ । ଚଳିତ ବର୍ଷ ଉପସ୍ଥାପିତ ବଜେଟରେ ଏହି ନିୟମ ଲାଗୁ କରାଯାଇଥିଲା ଯାହା ଆସନ୍ତା ଅକ୍ଟୋବର ୨ ତାରିଖରୁ କାର୍ଯ୍ୟକାରୀ ହେବ ।

2) ଆଧାର:
ଆଧାର ଏନରୋଲମେଣ୍ଟ ଆଇଡି ବଦଳରେ ଆଧାର ଏବଂ ପ୍ୟାନ୍ ଆପ୍ଲିକେସନକୁ ଅନୁମତି ଦେଉଥିବା ପ୍ରାଧିକରଣକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ତେଣୁ ଅକ୍ଟୋବର ୧ ରୁ ଏହା ଲାଗୁ ହେବ ନାହିଁ । PAN କାର୍ଡର ଅପବ୍ୟବହାର ତଥା ନକଲି ପ୍ୟାନ କାର୍ଡକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆଯାଇଛି ।

3) ବାଏ ବ୍ୟାକ୍ ସେୟାର:
ଅକ୍ଟୋବର ୧ରୁ, ବାଏ ବ୍ୟାକ୍ ସେୟାର ଉପରେ ଡେଭିଡେଣ୍ଟ ଟ୍ୟାକ୍ସ ଭଳି ସେୟାର ହୋଲଡ଼ର ଟ୍ୟାକ୍ସ ଲାଗୁ ହେବ ଏବଂ ଏଥିପାଇଁ ନିବେଶକାରୀମାନଙ୍କ ଉପରେ ଟ୍ୟାକ୍ସ ବୋଝ ବଢ଼ିଯିବ । ଏତଦ୍ ବ୍ୟତୀତ, ନିବେଶକାରୀମାନେ ଅଧିଗ୍ରହଣ କରିଥିବା ସେୟାରର ଲାଭ ଓ କ୍ଷତିକୁ ବିଚାରକୁ ନେଇ ଟ୍ୟାକ୍ସ ନିର୍ଦ୍ଧାରିତ କରାଯିବ ।

4) ଫ୍ଲୋଟିଙ୍ଗ ରେଟ୍ ବଣ୍ଡ TDS:
ବଜେଟ୍ ୨୦୨୪ରେ ଘୋଷଣା କରାଯାଇଥିଲା ଯେ ଅକ୍ଟୋବର ୧, ୨୦୨୪ ରୁ ଫ୍ଲୋଟିଂ ରେଟ୍ ବଣ୍ଡ ସମେତ କେତେକ କେନ୍ଦ୍ର ତଥା ରାଜ୍ୟ ସରକାରୀ ବଣ୍ଡରୁ ୧୦ ପ୍ରତିଶତ ହାରରେ TDS କଟାଯିବ । ଯଦି ସମଗ୍ର ବର୍ଷର ଆୟ ୧୦ ହଜାରରୁ କମ୍ ହୋଇଥାଏ ତେବେ କୌଣସି ଟିଡିଏସ୍ କଟାଯିବ ନାହିଁ ।

5) TDS ରେଟସ୍:
19DA, 194H, 194-IB ଏବଂ 194M ବିଭାଗ ଅଧୀନରେ ଦେୟ ପାଇଁ TDS ହାର ୫ ପ୍ରତିଶତରୁ ୨ ପ୍ରତିଶତକୁ ହ୍ରାସ ପାଇଛି । ଇ-କମର୍ସ ଅପରେଟରମାନଙ୍କ ପାଇଁ TDS ହାର ଏକ ପ୍ରତିଶତରୁ ୦.୧ ପ୍ରତିଶତକୁ ହ୍ରାସ କରାଯାଇଛି । ଅକ୍ଟୋବର ୧ ରୁ ଏହି ନୂଆ ରେଟ୍ ମଧ୍ୟ କାର୍ଯ୍ୟକାରୀ ହେବ ।

6) ଡାଇରେକ୍ଟ ଟ୍ୟାକ୍ସ ‘ବିବାଦ ସେ ବିଶ୍ୱାସ ସ୍କିମ୍ 2024’: 
ଆୟକର ବିବାଦ ମାମଲାରେ ବିଚାରାଧୀନ ଆବେଦନଗୁଡିକର ସମାଧାନ ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ସିଧାସଳଖ ଟ୍ୟାକ୍ସ “ବିବାଦ ସେ ବିଶ୍ୱାସ ସ୍କିମ୍ ୨୦୨୪” ଘୋଷଣା କରିଛି । ଏହା DTVSV 2024 ଭାବରେ ମଧ୍ୟ ଜଣାଶୁଣା । ଏହି ଯୋଜନା ଅକ୍ଟୋବର ୧ ରୁ କାର୍ଯ୍ୟକାରୀ ହେବ । ‘ପୁରୁଣା ଆବେଦନକାରୀ’ଙ୍କ ତୁଳନାରେ ଏହା ‘ନୂତନ ଆବେଦନକାରୀ’ ପାଇଁ କମ୍ ସମାଧାନ ରାଶି ପ୍ରଦାନ କରିପାରେ ।

ତେବେ ଦର୍ଶକବନ୍ଧୁ ରୋଜଗାର ଯେତିକି ବଢ଼ିଚାଲେ, ତାହା ଇନକମ୍‌ ଟ୍ୟାକ୍ସ ଅଧୀନକୁ ଆସିଯାଏ । ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ । ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ । ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ ସରକାର କର ଆଦାୟ କରି ଥାଆନ୍ତି । ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି । ତେବେ ଯଦି ଆପଣ ବିନା କୌଣସି ଅସୁବିଧାରେ ଇନକମ୍‌ ଟ୍ୟାକ୍ସ ଭରିବାକୁ ଚାହୁଁଛନ୍ତି ତେବେ ଉପରୋକ୍ତ ନିୟମ ଗୁଡିକ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like