ଗୁରୁ ନାନକ ଜୟନ୍ତୀ ଯୋଗୁ ଆଜି ବନ୍ଦ ରହିଛି ସେୟାର ମାର୍କେଟ୍‌, ହେବନି କୌଣସି ଟ୍ରେଡିଂ

ଗୁରୁ ନାନକ ଜୟନ୍ତୀ ଯୋଗୁ ଆଜି ବନ୍ଦ ରହିଛି ସେୟାର ମାର୍କେଟ୍‌। ଏଥିସହ ଆଜି କରେନ୍ସି ଓ ଡେରିଭେଟିଭ୍‌ ମାର୍କେଟରେ ମଧ୍ୟ କୌଣସି କାମଧନ୍ଦା ହେବ ନାହିଁ। ଆସନ୍ତା ଦୁଇ ଦିନ ସେୟାର ମାର୍କେଟରେ ସାପ୍ତାହିକ ଅବକାଶ ବା ଛୁଟି ରହିବ। ଏଣୁ ସେୟାର ମାର୍କେଟ, ଡେରିଭେଟିଭ୍‌ ଓ କରେନ୍ସି ମାର୍କେଟ୍‌ ଏବେ ସୋମବାର ଦିନ ହିଁ ଖୋଲିବ।

ନଭେମ୍ବର ମାସରେ ୩ ଦିନ ସେୟାର ମାର୍କେଟ ବନ୍ଦ ରହିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଦୀପାବଳି। ଦୀପାବଳି ଦିନ ସାଧାରଣ ଦିନ ଭଳି କାମ ହୋଇନାହିଁ। କିନ୍ତୁ ଘଣ୍ଟାଏ ପାଇଁ ସ୍ପେଶାଲ ଟ୍ରେଡିଂ ହୋଇଥିଲା। ସେହିପରି ଦୀପାବଳି ପରଦିନ ମଧ୍ୟ ଟ୍ରେଡିଂ ବନ୍ଦ ରହିଥିଲା। ଏହା ପୂର୍ବରୁ ଏପ୍ରିଲରେ ମଧ୍ୟ ସେୟାର ବଜାର ୩ ଦିନ ଛୁଟି ଯୋଗୁ ବନ୍ଦ ରହିଥିଲା। ଆଜିର ଛୁଟି ସେୟାର ବଜାରରେ ଚଳିତବର୍ଷର ଶେଷ ଛୁଟି। ଅର୍ଥାତ୍‌ ଚଳିତବର୍ଷ ଆଉ ସେୟାର ବଜାରରେ କୌଣସି ଛୁଟି ହେବ ନାହିଁ। କିନ୍ତୁ ସପ୍ତାହକୁ ୨ ଦିନ ଯେଭଳି ସପ୍ତାହ ଅନ୍ତରେ ବନ୍ଦ ରହୁଥିଲା, କେବଳ ସେମିତି ହିଁ ବନ୍ଦ ରହିବ। ଏବେ ପ୍ରତ୍ୟେକ ସପ୍ତାହରେ ୫ ଦିନ କାରବାର ଚାଲିବ। ନୂଆ ବର୍ଷରେ ପ୍ରଥମ ଛୁଟି ୨୬ ଜାନୁଆରୀ ଅର୍ଥାତ୍‌ ଗଣତନ୍ତ୍ର ଦିବସରେ ହିଁ ହେବ।


ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ସେୟାର ମାର୍କେଟ ଲଗାତାର ତୃତୀୟ ଦିନ ତଳକୁ ଖସିବା ସହ ବନ୍ଦ ହୋଇଥିଲା। ଗୁରୁବାର କାରବାରରେ ସେନ୍‌ସେକ୍ସ ୩୭୨ ଅଙ୍କ ତଳକୁ ଖସିବା ସହ ୫୯,୬୩୬.୦୧ ସ୍ତରରେ ବନ୍ଦ ହୋଇଥିଲା। ଅନ୍ୟପଟେ ନିଫ୍ଟି ୧୩୪ ଅଙ୍କ ତଳକୁ ଖସିବା ସହ ୧୭,୭୬୫ ସ୍ତରରେ ବନ୍ଦ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.