ସରକାରଙ୍କ ନୂଆ ନିୟମ, ୮ ସିଟର ଗାଡ଼ିରେ ଏବେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ

ସୁରକ୍ଷାକୁ ବଢାଇବା ପାଇଁ ଆଠଟି ସିଟ୍ ଥିବା ଗାଡ଼ିରେ ଅତି କମରେ ୬ଟି ଏୟାରବ୍ୟାଗ୍‌ ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଶୁକ୍ରବାର ସେ ନିଜ ଟ୍ୱିଟରେ ଏହା କହିଛନ୍ତି ଯେ ଏହାଦ୍ବାରା ସବୁ ବର୍ଗର ଗାଡ଼ିରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ। ଗାଡ଼ିର ମୂଲ୍ୟ କିମ୍ବା ଭାରିଆଣ୍ଟ୍‌ ଯାହା ହୋଇଥାଉ ନା କାହିଁକି ସେଥିରେ ୬ଟି ଏୟାରବ୍ୟାଗ୍ ଲଗାଯିବାର ବ୍ୟବସ୍ତା ନିର୍ମାଣକାରୀ କମ୍ପାନୀ କରିବା ଆବଶ୍ୟକ।

ଡ୍ରାଇଭରଙ୍କ ପାଇଁ ଏୟାରବ୍ୟାଗ୍ ଲଗାଇବା ବିଷୟକୁ ୨୦୧୯ ଜୁଲାଇରୁ ବାଧ୍ୟତାମୂଳକ କରାଯାଇଛି। ଚଳିତବର୍ଷ ଜାନୁଆରିରୁ ଗାଡ଼ିର ଆଗ ଦୁଇ ସିଟ୍‌ ଲାଗି ଏୟାରବ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ଉଭୟ ଚାଳକ ଓ ତାଙ୍କ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରାଯାଇପାରିବ ବୋଲି ସେ କହିଛନ୍ତି।

ଏମ୍‌୧ ବର୍ଗର ଗାଡ଼ିରେ ଅତିରିକ୍ତ ଚାରିଟି ବ୍ୟାଗ୍ ଲଗାଇବା ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଗାଡ଼ି ସାମ୍ନା ପଟୁ ଧକ୍କା ଦେଲେ କିମ୍ବା ଅନ୍ୟ କୌଣସି ଗାଡ଼ି ଆସି ସେହି ଗାଡ଼ିର ମଝାମଝି ମାଡ଼ ହେଲେ ସେଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ରହିପାରିବେ। ପୂର୍ବ ଭଳି ଗାଡ଼ିର ଦୁଇ ଆଗ ସିଟ୍ ପାଇଁ ଦୁଇଟି ଏୟାରବ୍ୟାଗ୍ ରହିବ। ଏହାସହିତ ଦୁଇ ପାର୍ଶ୍ବରେ ଟର୍ସୋ ଏୟାରବ୍ୟାଗ୍ ଓ ଉଭୟ ପାର୍ଶ୍ବର କର୍ଟେନ୍‌/ ଟ୍ୟୁବ୍ ଏୟାରବ୍ୟାଗ୍ ଲଗାଯିବ। ଫଳରେ ଗାଡ଼ି ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷା ମିଳିପାରିବ।

ସରକାରଙ୍କ ଆକଳନ ଅନୁଯାୟୀ ବର୍ଷ ୨୦୨୦ରେ ଜାତୀୟ ରାଜପଥରେ ମୋଟ ୧.୧୬ ଲକ୍ଷ ଲୋକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୪୭,୯୮୪ ଲୋକଙ୍କର ମୃତ୍ୟୁ ହୋଇଥିଲା। ମୋଟର ଗାଡ଼ିରେ ଯାତ୍ରାକୁ ସୁରକ୍ଷିତ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ଗଡ଼କରୀ କହିଛନ୍ତି।