ସମ୍ପତ୍ତି କିଣାବିକାରେ ଠକେଇ ରୋକିବା ପାଇଁ ମୋଦି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ପ୍ରପର୍ଟି ଓନରସିପ୍ ପାଇଁ ଏକ ଆଇନ୍ ଆଣିବାକୁ ଯାଉଛନ୍ତି। ଏହି ଆଇନ୍ ଅନୁସାରେ ଲୋକମାନେ ନିଜ ଫିକ୍ସଡ ଆସେଟ୍ ବା ନିଜ ଅଧୀନରେ ଥିବା ସମ୍ପତ୍ତିକୁ ମାଲିକାନାରେ ଆଣିବା ପାଇଁ ଆଧାର ସହ ଲିଙ୍କ୍ କରିବା ଜରୁରୀ। ଏହା ଦ୍ୱାରା ଜମି କିମ୍ବା ଘର କିଣିବା ବେଳେ ହେଉଥିବା ଠକାମି ସହ ବେନାମୀ ସମ୍ପତ୍ତିର ମଧ୍ୟ ଖୁଲାସା ହେବ।
ରିପୋର୍ଟ ମୁତାବକ, ବର୍ତ୍ତମାନ ପ୍ରପର୍ଟି ଓନରସିପ୍ ଆଇନ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଲାଣି। ଏହାର ପରୀକ୍ଷା ପାଇଁ ପାଞ୍ଚ ଜଣ ବିଶେଷଜ୍ଞଙ୍କ କମିଟି ମଧ୍ୟ ଗଠନ ସରିଲାଣି। ଏହି କମିଟି ସମସ୍ତ ରାଜ୍ୟ ସହ ସମନ୍ଵୟ ରକ୍ଷା କରି ଜମିବାଡ଼ି ସମ୍ବନ୍ଧୀୟ କେଉଁ କେଉଁ ମାମଲା ସାମ୍ନାକୁ ଆସୁଛି ତାହା ଯାଞ୍ଚ କରି ଆଇନ୍ ତିଆରି କରିବେ।
ଆଧାର ସହ ଲିଙ୍କ୍ ହେବା ପରେ ଲୋକମାନେ ଅନେକଗୁଡ଼ିଏ ସୁବିଧା ସୁଯୋଗ ପାଇପାରିବେ। ଯଦି କେହି ଆପଣଙ୍କ ସମ୍ପତ୍ତି ଉପରେ ଅନଧିକାର ପ୍ରବେଶ କରନ୍ତି, ତେବେ ତାହାକୁ ଛଡ଼ାଇବାରେ ସରକାର ସାହାଯ୍ୟ କରିବେ ନଚେତ୍ ଅର୍ଥରାଶି ଭରଣା କରିବେ। ଆଧାର ଲିଙ୍କ୍ ନ କଲେ ସରକାର ଉତ୍ତରଦାୟୀ ରହିବେ ନାହିଁ। ଜଣେ ବିଶେଷଜ୍ଞଙ୍କ କହିବାନୁସାରେ ସମ୍ପତ୍ତି ସହ ଆଧାର ଲିଙ୍କ୍ କରାଇବା ଏକ ବିକଳ୍ପ ମାତ୍ର। ଯଦି ଲୋକମାନେ ଚାହାନ୍ତି ଯେ ସରକାର ତାଙ୍କ ସମ୍ପତ୍ତିର ଗ୍ୟାରେଣ୍ଟି ନିଅନ୍ତୁ ତେବେ ନିଶ୍ଚିତ ରୂପେ ଆଧାର ଲିଙ୍କ୍ କରନ୍ତୁ।