ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି, ଉପକୃତ ହେଲେ ଅନେକ ଚାଷୀ

ବରଗଡ଼(କେନ୍ୟୁଜ): ଚାଷୀଙ୍କ ଜମାଖାତାକୁ ଗଲା ପିଏମ କିଷାନ ଟଙ୍କା । ଏନେଇ ବେଶ ଖୁସି ଅଛନ୍ତି ଚାଷୀ । ବାରଣାସୀରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କାକୁ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୯ କୋଟି ୨୬ ଲକ୍ଷ ଚାଷୀଙ୍କ ଜମାଖାତାରେ ଡିବିଟି ମାଧ୍ୟମରେ ୨୦ହଜାର କୋଟି ଟଙ୍କା ଜମା କରାଯାଇଛି । ପିଏମ କିଷାନ ଯୋଜନା ଡିବିଟି ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରାଯିବାରେ ବିଶ୍ବର ସବୁଠାରୁ ବୃହତ ଯୋଜନା ପାଲଟିଥିବା କହିଛନ୍ତି ମୋଦି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦେଶର ଚାଷୀଙ୍କ ଜମାଖାତାରେ ୩. ୨୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଇଯାଇଥିବା ସେ କହିଛନ୍ତି। ତୃତୀୟ ଥର ପାଇଁ ବାରଣାସୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ।

ସମାନ ଭାବେ କେନ୍ଦୁଝର ଜିଲ୍ଲାରେ ପ୍ରାୟ ଏକ ଲକ୍ଷ ସାତ ହଜାର ଚାଷୀ ମାନେ ଏହି ଯୋଜନା ଅଧିନରେ ଉପକୃତ ହୋଇଛନ୍ତି । ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି। ୧୫ ଦିନ ମଧ୍ୟରେ ବାକି ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ସହାୟତା ମିଳିବ ବୋଲି ସେ କହିଛନ୍ତି। ବାକି ରହିଥିବା ସାଢ଼େ ୪୦ ହଜାର ଚାଷୀଙ୍କୁ କିସ୍ତି ଟଙ୍କା ମିଳିବ । ଯେଉଁମାନଙ୍କ ନାଁ ସାମିଲ ହୋଇନି ସେମାନଙ୍କ ନାଁ ସାମିଲ କରାଯାଇ କିସ୍ତି ଟଙ୍କା ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏଭଳି ଭାବେ ଯଦି ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଏ ତେବେ ସେମାନଙ୍କ କଷ୍ଟ ଅଳ୍ପ ବହୁତ ଦୂର ହୋଇପାରିବ । ବାସ୍ତବରେ ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ଅନେକ ଚାଷୀ ।

You might also like