ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ଏବେ ଲୋକଙ୍କ ନଜର ରହିଛି କମ୍ ଖର୍ଚ୍ଚରେ ଚାଲୁଥିବା ଇଲେକ୍ଟ୍ରିକ୍ ଗାଡ଼ି ଉପରେ । ଏହା ସହିତ ପରିବେଶ ପ୍ରଦୂଷଣ କମାଇବା ଦିଗରେ ମଧ୍ୟ ଅଟୋମୋବାଇଲ୍ କମ୍ପାନୀମାନେ ନୂଆ ନୂଆ ଟେକ୍ନୋଲୋଜି ଆଣୁଛନ୍ତି । ଏହି ଦିଗରେ ପୁଣେର ଷ୍ଟାର୍ଟଅପ୍ କମ୍ପାନୀ Vayve Mobility ଭାରତରେ ନେଇଆସିଛି ସୋଲାର ପାୱାର୍ଡ ଇଲେକ୍ଟ୍ରିକ୍ କାର୍ Vayve Eva ।
ଏହି କାରର ସବୁଠାରୁ ବଡ଼ ଖାସିୟତ ହେଉଛି ଏହାର ସୋଲାର ରୁଫ୍ । ଅର୍ଥାତ୍, କାରର ଉପରେ ଲାଗିଥିବା ସୋଲାର ପ୍ୟାନେଲ୍ ସୂର୍ଯ୍ୟ କିରଣରୁ ବିଦ୍ୟୁତ୍ ତିଆରି କରି ବ୍ୟାଟେରୀକୁ ଚାର୍ଜ କରିବାରେ ସାହାଯ୍ୟ କରେ । ତେବେ ଏହି କାର କେବଳ ସୂର୍ଯ୍ୟ କିରଣରେ ଚାଲେ ନାହିଁ । ସୋଲାର ରୁଫ୍ ମେନ୍ ବ୍ୟାଟେରୀକୁ ଧୀରେ ଧୀରେ ଚାର୍ଜ କରେ । କମ୍ପାନୀର କହିବା ଅନୁସାରେ, ଏଥିରୁ ପ୍ରତିଦିନ ପ୍ରାୟ ୧୦ରୁ ୧୨ କିଲୋମିଟର ପର୍ଯ୍ୟନ୍ତ ଏକ୍ସଟ୍ରା ରେଞ୍ଜ ମିଳିପାରେ।
ଏଥିସହ ଆପଣମାନେ ଜାଣିରଖନ୍ତୁ ଯେ, Vayve Eva ତିନୋଟି ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- Nova, Stella ଏବଂ Vega । ବର୍ତ୍ତମାନ ଜାଣିବା ପ୍ରଥମ ଭାରିଆଣ୍ଟ Nova ବିଷୟରେ । ଏଥିରେ ରହିଛି ୯ କିଲୋୱାଟ୍-ଆୱର୍ ବ୍ୟାଟେରୀ । ଏହା ଥରେ ଚାର୍ଜ ହେଲେ ପ୍ରାୟ ୧୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।
ଦ୍ୱିତୀୟ ଭାରିଆଣ୍ଟଟି ହେଉଛି Stella। ଏଥିରେ ୧୨.୬ କିଲୋୱାଟ୍-ଆୱର୍ ବ୍ୟାଟେରୀ ରହିଛି ଏବଂ ଏହାର ରେଞ୍ଜ ପ୍ରାୟ ୧୭୫ କିଲୋମିଟର । ତୃତୀୟ ଏବଂ ଟପ୍ ଭାରିଆଣ୍ଟ ହେଉଛି Vega। ଏଥିରେ ୧୮ କିଲୋୱାଟ୍-ଆୱର୍ ବ୍ୟାଟେରୀ ମିଳୁଛି । ଥରେ ଚାର୍ଜ କଲେ ଏହା ସର୍ବାଧିକ ୨୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ ।
ପରଫର୍ମାନ୍ସ ବିଷୟରେ କହିବାକୁଗଲେ, Vayve Eva ର ଟପ୍ ସ୍ପିଡ୍ ରହିଛି ଘଣ୍ଟା ପ୍ରତି ୭୦ କିଲୋମିଟର । ଏହି କାର୍ ମାତ୍ର ୫ ସେକେଣ୍ଡରେ ଶୂନରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗ ଧରିପାରେ । ଚାର୍ଜିଂ ପାଇଁ ଏଥିରେ ୧୫ ଆମ୍ପିୟର୍ ହୋମ୍ ସକେଟ୍ ସହିତ DC ଫାଷ୍ଟ ଚାର୍ଜିଂର ସୁବିଧା ମଧ୍ୟ ରହିଛି । ଏହା ସହିତ ରିଜେନେରେଟିଭ୍ ବ୍ରେକିଂ ସିଷ୍ଟମ୍ ମଧ୍ୟ ଦିଆଯାଇଛି, ଯାହା ଗାଡ଼ିର ଗତି କମିବା ସମୟରେ ଉତ୍ପନ୍ନ ଏନର୍ଜିକୁ ପୁଣି ବ୍ୟାଟେରୀରେ ସଂରକ୍ଷଣ କରିବାରେ ସାହାଯ୍ୟ କରେ ।
ଏବେ ଦାମ କଥା କହିଲେ, Vayve Eva ର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ପ୍ରାଇସ୍ ବ୍ୟାଟେରୀ ସବ୍ସକ୍ରିପ୍ସନ୍ ମଡେଲ୍ ଅନୁସାରେ ୩ ଲକ୍ଷ ୨୫ ହଜାର ଟଙ୍କାରୁ ଆରମ୍ଭ ହେଉଛି। କମ୍ପାକ୍ଟ ଡିଜାଇନ୍ ଯୋଗୁଁ ଏହି କାର୍ ସହରର ଛୋଟ ରାସ୍ତା, ଅଧିକ ଟ୍ରାଫିକ୍ ଏବଂ ପାର୍କିଂ ସମସ୍ୟା ଥିବା ଅଞ୍ଚଳ ପାଇଁ ଉପଯୋଗୀ ହୋଇପାରେ । ଏଥିରେ ୨ ଜଣ ବୟସ୍କ ଏବଂ ଜଣେ ଛୋଟ ପିଲା ବସିପାରିବେ । ମୋଟାମୋଟି ଭାବେ, କମ୍ ଚାଲଣ ଖର୍ଚ୍ଚ, ସୋଲାର ରୁଫ୍ ଏବଂ କମ୍ପାକ୍ଟ ଡିଜାଇନ୍ ସହିତ Vayve Eva ସହରୀ ଯାତାୟାତ ପାଇଁ ଏକ ନୂଆ ଇଲେକ୍ଟ୍ରିକ୍ କାର୍ ଅପ୍ସନ ଭାବେ ସାମ୍ନାକୁ ଆସିଛି ।
Also Read: ଏଲପିଜି ସିଲିଣ୍ଡର e-KYCର ଆଜି ଶେଷ ଦିନ, ନକଲେ ଦେବାକୁ ପଡ଼ିପାରେ ଅଧିକ ଦାମ୍