ନୂଆ ଆର୍ଥିକ ବର୍ଷରୁ ନୂଆ ଟ୍ୟାକ୍ସ ନିୟମ, ଏହି ୪ ନିୟମରେ ହେବ ବଡ ପରିବର୍ତ୍ତନ
ଏପ୍ରିଲ ୧ ତାରିଖ ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏହାସହିତ ଟ୍ୟାକ୍ସ ସହ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହେବ। ଏହି ନୂଆ ଆର୍ଥିକ ବର୍ଷରେ ଟ୍ୟାକ୍ସ ସହିତ ଆହୁରି ୪ ଟି ବଡ ନିୟମର ପରିବର୍ତ୍ତନ ହେବ। ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ଯାହା ଏହି ନୂଆ ଆର୍ଥିକ ବର୍ଷରେ ପରିବର୍ତ୍ତନ ହେବ।
ନୂଆ ଇନକମ୍ ଟ୍ୟାକ୍ସ ସିଷ୍ଟମ ଲାଗୁ ହେବ
ସରକାର ବଜେଟ ୨୦୨୦-୨୧ରେ ବିକଳ୍ପିତ ଦର ଏବଂ ପରିବର୍ତ୍ତିତ ବା ରେକଟିଫାଏଡ ସ୍ଲାବ ସହିତ ନୂଆ ଇନକମ୍ ଟ୍ୟାକ୍ସ ସିଷ୍ଟମକୁ ଆରମ୍ଭ କରିଛନ୍ତି ଯାହା ୧ ଏପ୍ରିଲରୁ କାର୍ଯ୍ୟକାରୀ ହେବ। ନୂଆ ଟ୍ୟାକ୍ସ ସିଷ୍ଟମ ବା ନୂଆ କର ବ୍ୟବସ୍ଥାରେ କୌଣସି ପ୍ରକାର ରିହାତି ବା ଡିସକାଉଣ୍ଟର ଲାଭ ମିଳିବନାହିଁ। ନୂଆ ଟ୍ୟାକ୍ସ ସିଷ୍ଟମ ବିକଳ୍ପିକ ଅଟେ, ଅର୍ଥାତ କରଦାତା ଚାହିଁଲେ ତ ପୁରୁଣା ଟ୍ୟାକ୍ସ ସ୍ଲାବ ହିସାବରେ ମଧ୍ୟ ଆୟକର ଜମା କରିପାରିବେ। ସେହିପରି ନୁଆ କର ପ୍ରସ୍ତାବ ଅନୁଯାୟୀ ବର୍ଷକୁ ୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ଠାରୁ କୌଣସି କର ଆଦାୟ କରାଯିବ ନାହିଁ। ଏଥିସହିତ ବର୍ଷକୁ ୫ରୁ ୭.୫ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କ ପାଇଁ ୧୦ % ଏବଂ ୭.୫ ଲକ୍ଷରୁ ୧୦ ଲକ୍ଷ ଆୟ କରୁଥିବା ଲୋକଙ୍କ ଉପରେ ୧୫%, ୧୦ ଲକ୍ଷରୁ ୧୨.୫ ଲକ୍ଷ ଟଙ୍କା ଉପରେ ୨୦%, ୧୨.୫ ଲକ୍ଷ ଟଙ୍କା ରୁ ୧୫ ଲକ୍ଷ ଟଙ୍କା ଆୟ ଉପରେ ୨୫% ଏବଂ ୧୫ ଲକ୍ଷ ରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ୩୦% କର ଦରରେ ଟ୍ୟାକ୍ସ ଲାଗିବ।
ନୂଆ ଜିଏସଟି ରିଟର୍ଣ୍ଣ
ଜିଏସଟି କାଉନସିଲରେ ୩୧ତମ ବୈଠକରେ କରଦାତାଙ୍କ ପାଇଁ ନୂଆ ଜିଏସଟି ରିଟର୍ଣ୍ଣ ସିଷ୍ଟମ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହା ଅନୁଯାୟୀ ୧ ଏପ୍ରିଲ ଠାରୁ ଲାଗୁ ହେଉଥିବା ସିଷ୍ଟମ ଅନୁଯାୟୀ ଜିଏସଟି ରିଟର୍ଣ୍ଣ ଭରିବାରେ ସହଜ ହେବ। ଏହି ନୁଆ ବ୍ୟବସ୍ଥା ଅନୁଯାୟୀ ଦୁଇଟି ନୂଆ ଫର୍ମ ପ୍ରସ୍ତୁତ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି GST FORM ANX-1 ଏବଂ ଅନ୍ୟଟି GST FORM ANX-2।
ପାନ ସହିତ ଆଧାର କାର୍ଡ ସଂଯୋଗ
ଯଦି ଆପଣ ଆପଣଙ୍କ ପାନ କାର୍ଡକୁ ଆଧାର କାର୍ଡ ସହିତ ସଂଯୋଗ କରାଇନାହାନ୍ତି ତେବେ ୧ ଏପ୍ରିଲ ଠାରୁ ଆପଣଙ୍କ ପାନ କାର୍ଡ ଇନଭାଲିଡ୍ ହୋଇଯିବ। ପାନ କାର୍ଡ ଏବଂ ଆଧାର କାର୍ଡକୁ ଲିଙ୍କ୍ କରାଇବାର (PAN Aadhaar Linking) ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୦ ରଖାଯାଇଛି। ଗତ ବର୍ଷ ପାନ ଏବଂ ଆଧାର କାର୍ଡ ସଂଯୋଗ କରିବାର ଡେଡଲାଇନ ଅନେକ ଥର ବଢ଼ି ସାରିଛି। ପ୍ରାୟ ୧୭.୫୮ କୋଟି ପାନ କାର୍ଡକୁ ଏବେ ବି ଆଧାର ସହିତ ଲିଙ୍କ୍ କରାଯାଇନାହିଁ। ସେହିପରି ୩୦.୭୫ କୋଟି ଲୋକ ନିଜର ପାନ କାର୍ଡକୁ ଆଧାର ସହିତ ଲିଙ୍କ୍ କରାଇସାରିଛନ୍ତି।
ବିଦେଶୀ ଟୁର ପ୍ୟାକେଜ ପାଇଁ TCS
୧ ଏପ୍ରିଲ ୨୦୨୦ ଠାରୁ କୌଣସି ବି ବିଦେଶୀ ଟୁର ପ୍ୟାକେଜ୍ କିଣିବା ଏବଂ ବିଦେଶରେ କୌଣସି ବି ଫଣ୍ଡ୍ ଖର୍ଚ୍ଚ କରିବା ମହଙ୍ଗା ହୋଇଯିବ। ଯଦି କୌଣସି ବିଦେଶୀ ଟୁର ପ୍ୟାକେଜ କିଣନ୍ତି କିମ୍ବା ବିଦେଶୀ କରେନ୍ସୀ ଏକ୍ସଚେଞ୍ଚ କରନ୍ତି ତେବେ ୭ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉପରେ ଟ୍ୟାକ୍ସ କଲେକସନ୍ ଆଟ୍ ସୋର୍ସ ବା TCS ଦେବାକୁ ହେବ। କେନ୍ଦ୍ର ସରକାର ସାଧାରଣ ବଜେଟରେ ୨୦୨୦ରେ ଧାରା ୨୦୬ସିରେ ସଂଶୋଧନ କରି ବିଦେଶୀ ଟୁର ପ୍ୟାକଜେ ଏବଂ ଫଣ୍ଡ ଉପରେ ୫ ପ୍ରତିଶତ ଟିସିଏସ୍ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି।
ତେବେ ୧ ଏପ୍ରିଲ ଠାରୁ ଲାଗୁ ହେଉଥିବା ନୂଆ ଆର୍ଥିକ ବର୍ଷରେ ଏହି ୪ ବଡ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହାକୁୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସମେତ କମ୍ପାନୀଗୁଡିକୁ ମଧ୍ୟ ପାଳନ କରିବାକୁ ହେବ।