ଏଣିକି ଟ୍ରେନ୍‌ରେ ବସି ଯାତ୍ରା କରି ପାରିବ ଆପଣଙ୍କ ପୋଷା କୁକୁର! ରେଲୱେ ପ୍ରସ୍ତୁତ କଲା ନୂଆ ଯୋଜନା

ଯଦି ଆପଣଙ୍କ ପାଖରେ ଡଗି ଅଛି ଏବଂ ଆପଣ ତା’ ସହିତ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ ରହିଛି। ଆଜି ପର୍ଯ୍ୟନ୍ତ ଆପଣ ଯେଉଁଭଳି ଭାବେ ନିଜ ପୋଷା ପ୍ରାଣୀ ବା ପୋଷା କୁକୁରକୁ କୋଚ୍‌ରେ ଧରି ଯାତ୍ରା କରୁଥିଲେ, ତ ପାଖରେ ଥିବା ସହଯାତ୍ରୀମାନେ ଏ ନେଇ ନାନା ଆପତ୍ତି ଅଭିଯୋଗ ଆଣୁଥିଲେ। କିନ୍ତୁ ଏବେ ଆଉ ସେମିତି କିଛି ହେବ ନାହିଁ। କାରଣ, ଏ ନେଇ ରେଲେଓ୍ଵ ଏକ ନୂଆ ସୁବିଧା ଆରମ୍ଭ କରିଛି।

ପୂର୍ବ-ଉତ୍ତର ରେଲେଓ୍ଵ (ଏନ୍‌ଇଆର୍‌)ର ଅଧିକାରୀମାନେ ଯାତ୍ରୀମାନଙ୍କ ପୋଷା କୁକୁର ପାଇଁ ଅଲଗା ଜାଗାର ପ୍ରସ୍ତାବିତ ଡିଜାଇନକୁ ମଞ୍ଜୁରୀ ଦେଇଛନ୍ତି। ଏନ୍‌ଇଆର୍‌ ତରଫରୁ ଜନ ସମ୍ପର୍କ ଅଧିକାରୀ (ପିଆର୍‌ଓ) ପଙ୍କଜ କୁମାର ସିଂ କହିଛନ୍ତି କି, ଯାତ୍ରୀଙ୍କ ପୋଷା କୁକୁରମାନଙ୍କ ପାଇଁ ଟ୍ରେନ୍‌ର ପାଓ୍ଵାର କାର୍‌ଗୁଡ଼ିକୁ ପୁଣିଥରେ ପ୍ରସ୍ତୁତ କରାଯିବ।

ଗାର୍ଡଙ୍କ ନଜରବନ୍ଦୀରେ ରହିବେ ପୋଷା କୁକୁର!

ପଙ୍କଜ କୁମାର କହିଛନ୍ତି, ଯାତ୍ରା ସମୟରେ ପୋଷା ପ୍ରାଣୀମାନେ ସୁରକ୍ଷା କର୍ମୀଙ୍କ ନଜରବନ୍ଦୀରେ ରହିବେ। କିନ୍ତୁ ମାଲିକମାନଙ୍କୁ ସେମାନଙ୍କ ପାଇଁ ଭୋଜନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ହେବ। ଅଧିକାରୀ ମାନଙ୍କ ମୁତାବକ, ନର୍ଥ ଇଷ୍ଟର୍ଣ୍ଣ ରେଲେଓ୍ଵ (ଏନ୍‌ଇଆର୍‌) ଓ୍ଵାର୍କସପ୍‌ କୁକୁରମାନଙ୍କ ପାଇଁ ଏଭଳି ଜାଗା ତିଆରି କାମ ଆରମ୍ଭ କରି ଦେଇଛି। କିନ୍ତୁ ଏହି ସେବା ଡିମାଣ୍ଡ ଉପରେ ହିଁ ପ୍ରଦାନ କରାଯିବ।

ଏଥି ପୂର୍ବରୁ ଖବର ଆସିଥିଲା ଯେ ଭାରତୀୟ ରେଲେଓ୍ଵକୁ ସଂରକ୍ଷିତ ପାସେଞ୍ଜର ସେଗ୍‌ମେଣ୍ଟରୁ ୧ ଏପ୍ରିଲରୁ ଡିସେମ୍ବର ୨୦୨୨ ମଧ୍ୟରେ ୪୬ ପ୍ରତିଶତ ଏବଂ ଅଣସଂରକ୍ଷିତ କୋଟାରୁ ୧୩୭ ପ୍ରତିଶତରୁ ଅଧିକ ଆୟ ହୋଇଛି। ବର୍ଷେ ପୂର୍ବରୁ ସମାନ ଅବଧି ତୁଳନାରେ ଏହି ୯ ମାସ ଭିତରେ ରେଲେଓ୍ଵର ଆୟରେ ଅହେତୁକ ବୃଦ୍ଧି ଘଟିଛି। ଏପ୍ରିଲରୁ ଡିସେମ୍ବର ମଧ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଭାରତୀୟ ରେଲେଓ୍ଵକୁ ଯାତ୍ରୀ ଭଡ଼ାରୁ ଆନୁମାନିକ ୪୮୯୧୩ କୋଟି ଟଙ୍କା ଆୟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.