୧୦% ଧନୀଙ୍କ ପାଖରେ ଦେଶର ଅର୍ଦ୍ଧେକ ସମ୍ପତ୍ତି, ସର୍ଭେରେ ହେଲା ଖୁଲାସା

ଦେଶରେ ୧୦% ଶୀର୍ଷ ଧନୀଙ୍କ ପାଖରେ ରହିଛି ୫୦% ସ୍ଥାବର ଓ ଆର୍ଥିକ ସମ୍ପତ୍ତି। ତଳସ୍ତରରେ ଥିବା ୫୦%ଙ୍କ ପାଖରେ ରହିଛି ମାତ୍ର ୧୦%ରୁ କମ୍‌ ସମ୍ପତ୍ତି। NSS ଦ୍ୱାରା କରାଯାଇଥିବା ଦ ଅଲ୍‌ ଇଣ୍ଡିଆ ଡେବ୍‌ଟ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ସର୍ଭେ ୨୦୧୯ରୁ ଏହି ତଥ୍ୟ ମିଳିଛି। ଏହି ସର୍ଭେ ୨୦୧୯ ମସିହା ଜାନୁଆରିରୁ ଡିସେମ୍ବର ମାସ ମଧ୍ୟରେ କରାଯାଇଥିଲା।

ସର୍ଭେ ମୁତାବକ, ଦେଶର ୧୦ ପ୍ରତିଶତ ଶୀର୍ଷ ଧନୀ ସହରାଞ୍ଚଳର ୫୫.୭ ପ୍ରତିଶତ ଓ ଗ୍ରାମାଞ୍ଚଳର ୫୦.୮ ପ୍ରତିଶତ ସମ୍ପତ୍ତିର ମାଲିକ। ଏମାନଙ୍କ ଜମି, କୋଠା, ପଶୁ ସଂପଦ, ଗାଡ଼ି, କମ୍ପାନୀ ସେୟାର, ବ୍ୟାଙ୍କ ଡିପୋଜିଟ୍‌, ପୋଷ୍ଟ ଅଫିସ ଡିପୋଜିଟ୍‌ ଆଦିକୁ ମୂଲ୍ୟାୟନ କରାଯାଇଛି। ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୪. ୬ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏଥିରୁ ୧୩୯.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତିର ମାଲିକ ହେଉଛନ୍ତି ୧୦ ପ୍ରତିଶତ ଶୀର୍ଷ ଧନୀ।

ତଳ ସ୍ତରରେ ରହୁଥିବା ୫୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ମାତ୍ର ୧୦.୨ ପ୍ରତିଶତ, ଯାହା ସହରାଞ୍ଚଳରେ ୬.୨ ପ୍ରତିଶତ ସହ ସମାନ। ଭିନ୍ନ ଭିନ୍ନ ରାଜ୍ୟରେ ଧନୀ ଗରିବଙ୍କ ତାରତମ୍ୟ ମଧ୍ୟ ଅଲଗା ରହିଛି । ଦିଲ୍ଲୀର ୧୦ ପ୍ରତିଶତ ଶୀର୍ଷ ଧନୀ ୮୦.୮ ପ୍ରତିଶତ ସମ୍ପତ୍ତିର ମାଲିକ ହୋଇଥିବା ବେଳେ ତଳସ୍ତରରେ ରହୁଥିବା ୫୦ ପ୍ରତିଶତ ଲୋକଙ୍କ ସଂପତ୍ତି ମାତ୍ର ୨.୧ ପ୍ରତିଶତ ବୋଲି ଏହି ସର୍ଭେରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.