ଏହି ଟ୍ରେନରେ ମାଗଣା ମିଳେ ଖାଦ୍ୟ, ୨୯ ବର୍ଷ ଧରି ଯାତ୍ରୀ ପାଇ ଆସୁଛନ୍ତି ଏହି ସୁବିଧା

ଟ୍ରେନରେ ଯାତ୍ରା କରିବାକୁ ବେଶ୍ ମଜା ଲାଗେ ସମସ୍ତଙ୍କୁ । ଆଉ ତା’ ସହିତ ଯଦି ଖାଇବା ପିଇବା ଚାଲିଥାଏ, ଏହାର ମଜା ଡବଲ ହୋଇଯାଏ । ଯାତ୍ରା ବେଳେ ଗରମ ଗରମ ଖାଦ୍ୟ ଯଦି ମିଳିଯାଏ, ତାହେଲେ ଟ୍ରେନ ଯାତ୍ରା ଆହୁରି ମଜାଦାର ହୋଇଯାଏ । ସାଧାରଣତଃ ବହୁତ ଲୋକ ନିଜ ସାଥିରେ ଘରୁ ପ୍ରସ୍ତୁତ କରି ନେଇଥାନ୍ତି ଖାଦ୍ୟ । ଆଉ ତାକୁ ଖାଇ ଖାଇ ଟ୍ରେନ ଯାତ୍ରାର ମଜା ଉଠାନ୍ତି । ତେବେ କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସେହି ଟ୍ରେନରୁ ହିଁ କିଣି ଖାଇଥାନ୍ତି ।

ଟ୍ରେନରେ ବି ଖାଇବା ପିଇବା ପାଇଁ ପ୍ୟାଣ୍ଟ୍ରି କାର ବ୍ୟବସ୍ଥା କରାଯାଇଥାଏ । ଏହାବ୍ୟତୀତ ରେଲୱେ ଷ୍ଟେସନ ଗୁଡ଼ିକରେ ଫୁଡ୍ ଷ୍ଟଲ ମଧ୍ୟ ଦେଖିବାକୁ ମିଳିଯାଏ । ଏସବୁ ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । କିନ୍ତୁ ଭାରତରେ ଏମିତି ଏକ ଟ୍ରେନ ରହିଛି, ଯେଉଁଥିରେ ଖାଇବା-ପିଇବା ସବୁ ବ୍ୟବସ୍ଥା ରହିଛି ସମ୍ପୂର୍ଣ୍ଣ ମାଗଣା । ଯାତ୍ରା ସମୟରେ ମୋଟ ୬ ଥର ଯାତ୍ରୀମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଏ ।

ସଚଖଣ୍ଡ ଏକ୍ସପ୍ରେସ(୧୨୭୧୫) ଟ୍ରେନ ଯାତ୍ରୀମାନଙ୍କୁ ଏହି ଖାସ୍ ସୁବିଧା ପ୍ରଦାନ କରୁଛି । ଏହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନଙ୍କୁ ଖାଇବା-ପିଇବାର କୌଣସି ଚିନ୍ତା କରିବାକୁ ପଡ଼େନାହିଁ । ଗତ କିଛି ବର୍ଷରୁ ଏହି ଟ୍ରେନରେ ଯାତ୍ରୀମାନଙ୍କୁ ସ୍ପେଶାଲ ଲଙ୍ଗର ପରଷି ଦିଆଯାଏ । ସଚଖଣ୍ଡ ଏକ୍ସପ୍ରେସ ୩୯ଟି ଷ୍ଟେସନରେ ଅଟକିଥାଏ । ଏହି ସମୟରେ ୬ ଷ୍ଟେସନରେ ଯାତ୍ରୀମାନଙ୍କୁ ଲଙ୍ଗର ପ୍ରଦାନ କରାଯାଏ । ଟ୍ରେନ ବି ସେହି ହିସାବରେ ଅଟକିଥାଏ ଏବଂ ଲୋକାମନେ ଆରାମରେ ଯେପରି ଲଙ୍ଗର୍ ଖାଇପାରିବେ ।

ଅମୃତସର-ନାନ୍ଦେଡ଼ ସଚଖଣ୍ଡ ଏକ୍ସପ୍ରେସରେ ଗତ ୨୯ ବର୍ଷରୁ ଯାତ୍ରୀମାନଙ୍କୁ ମାଗଣା ଖାଦ୍ୟ ଖାଇବାକୁ ଦିଆଯାଉଛି । ଏହି ଟ୍ରେନରେ ଯାତ୍ରା କରିବା ସମୟରେ ଖାଦ୍ୟ କିଣିବା କିମ୍ବା ଘରୁ ଖାଦ୍ୟ ନେଇ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଏ । ତେବେ ଯାତ୍ରା କରିବା ବେଳେ ଯାତ୍ରୀମାନେ ବାସନ ନିଜ ସାଙ୍ଗରେ ନେଇ ଯାଇଥାନ୍ତି । ତେବେ କହିବାକୁ ଚାହିଁବୁ ଯେ ୨୦୮୧ କିଲୋମିଟର ଯାତ୍ରା କରିବା ପରେ ୬ଟି ଷ୍ଟେସନରେ ଯାତ୍ରୀମାନଙ୍କୁ ଲଙ୍ଗର ଖାଇବାକୁ ଦିଆଯାଏ । ତେବେ ଟ୍ରେନରେ ପ୍ୟାଣ୍ଟ୍ରି ଥିଲେ ମଧ୍ୟ ଏଠାରେ ଖାଦ୍ୟ ପ୍ରସ୍ତୁତ ହୁଏ ନାହିଁ । କାହିଁକିନା ଲୋକଙ୍କର ଆବଶ୍ୟକତା ଲଙ୍ଗରରୁ ହିଁ ପୂରା ହୋଇଯାଏ ।

ଟ୍ରେନ୍ ଜେନେରାଲ ଠାରୁ ନେଇ ଏସି କୋଚ୍ ପର୍ଯ୍ୟନ୍ତ ଯାତ୍ରୀ ନିଜ ସାଥିରେ ବାସନ ସାଥିରେ ନେଇଯାନ୍ତି । ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ଟ୍ରେନ ପୂର୍ବରୁ ସପ୍ତାହକୁ ଥରେ ଗଡ଼ିଥାଏ । ଏହାପରେ ଏହା ସପ୍ତାହକୁ ୨ ଥର ହୋଇଥିବା ବେଳେ ୧୯୯୭ ମସିହାରୁ ସପ୍ତାହକୁ ୫ ଦିନ ଗଡ଼ିଥିଲା ଏହି ଟ୍ରେନ । କିନ୍ତୁ ବର୍ତ୍ତମାନ ଏହି ସ୍ପେସାଲ ଟ୍ରେନ ପ୍ରତ୍ୟେକ ଦିନ ଯାତାୟତ କରୁଛି । ଜଣେ ବ୍ୟବସାୟୀ ଏହି ଲଙ୍ଗର ଆରମ୍ଭ କରିଥିଲେ । ବର୍ତ୍ତମାନ ପ୍ରତି ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଲଙ୍ଗର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like