ଦେଶର ଏହି ଆଇଆଇଟିରେ ପ୍ଲେସ୍ମେଣ୍ଟରେ ଭାଙ୍ଗିଲା ସବୁ ରେକର୍ଡ, ପିଲାଙ୍କୁ ଅଫର୍ ହେଲା ଅଢ଼େଇ କୋଟି ଦରମା! ଜାଣନ୍ତୁ କେଉଁ କେଉଁ କମ୍ପାନୀ ନେଇଥିଲେ ଭାଗ

ଦେଶର ଖ୍ୟାତନାମା ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି ଖଡ଼ଗପୁର)ରେ ଚଳିତ ବର୍ଷ ପ୍ଲେସ୍ମେଣ୍ଟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏ ବର୍ଷ ଯେତିକି ପିଲାଙ୍କୁ ନିଯୁକ୍ତି ମିଳିଛି, ତାହା ଏହି ସଂସ୍ଥାନର ଇତିହାସରେ କେବେ ବି ହୋଇ ନ ଥିଲା। ଏଥର ସଂସ୍ଥାନରେ ୨୦ରୁ ଅଧିକ ପିଲାଙ୍କୁ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଅଫର୍ ହୋଇଛି। ଜଣଙ୍କୁ ତ ବାର୍ଷିକ ପାଖାପାଖି ଅଢ଼େଇ କୋଟି ଟଙ୍କାର ପ୍ୟାକେଜ ମିଳିଛି।
ଆଇଆଇଟି ଇତିହାସରେ ସବୁଠାରୁ ଅଧିକ ପ୍ଲେସ୍ମେଣ୍ଟ
ଭାରତୀୟ ପ୍ରୋଦ୍ଦ୍ୟୋଗିକୀ ସଂସ୍ଥାନ, ଖଡ଼ଗପୁର ଶନିବାର ଜାରି ଏକ ବୟାନରେ କହିଛି ଯେ ଚଳିତ ବର୍ଷ ସଂସ୍ଥାନ ଆଇଆଇଟି ଇତିହାସରେ ସବୁଠାରୁ ଅଧିକ ପ୍ଲେସ୍ମେଣ୍ଟ ଅଫର କରିଛି। ଏଥି ମଧ୍ୟରୁ ଅଧିକତମ ପ୍ୟାକେଜ ୨.୪୦ କୋଟି ଟଙ୍କା ପ୍ରତି ବର୍ଷ ରହିଛି। ବୟାନ ଅନୁସାରେ, ଆଇଆଇଟି-ଖଡ଼ଗପୁର ଚଳିତ ବର୍ଷ ୧,୧୦୦ରୁ ଅଧିକ ପ୍ଲେସ୍ମେଣ୍ଟ ଅଫର୍ କରିଛି। ବୟାନରେ କୁହାଯାଇଛି କି, ବର୍ତ୍ତମାନର ମହାମାରୀ ପରିସ୍ଥିତି ସତ୍ତ୍ୱେ ଆଇଆଇଟି ଖଡ଼ଗପୁରରେ ବଡ଼ ସଂଖ୍ୟାରେ ପ୍ରି-ପ୍ଲେସ୍ମେଣ୍ଟ ଅଫର୍ (ପିପିଓ) ଆସିଥିଲା, ଯାହାକି ଭାରତର ଅନ୍ୟ ସମସ୍ତ ଶୀର୍ଷ ଉଚ୍ଚ ଶୈକ୍ଷଣିକ ସଂସ୍ଥାନ ମଧ୍ୟରୁ ସବୁଠାରୁ ଅଧିକ।
ଚଳିତ ବର୍ଷ ଆଇଆଇଟି ଖଡ଼ଗପୁରର ୩୫ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନ୍ୟାଶନାଲ ଅଫର୍ ମିଳିଛି। ବୟାନରେ କୁହାଯାଇଛି କି, ଦୁଇ ପ୍ରମୁଖ କମ୍ପାନୀ ୨ ଏବଂ ୨.୪ କୋଟି ଟଙ୍କା ପ୍ରତି ବର୍ଷର ପ୍ୟାକେଜ ସହିତ ଦୁଇଟି ବଡ଼ ପ୍ରସ୍ତାବ ଦେଇଛନ୍ତି। ସଂସ୍ଥାନ କହିଛି, ବର୍ତ୍ତମାନ ସୁଦ୍ଧା ଆମ ଛାତ୍ରଛାତ୍ରୀଙ୍କୁ ୧ କୋଟି ଟଙ୍କାର ପ୍ୟାକେଜଯୁକ୍ତ ୨୦ରୁ ଅଧିକ ଅଫର ମିଳିଛି।
କେଉଁ କେଉଁ କମ୍ପାନୀ ଆସିଥିଲେ ପ୍ଲେସ୍ମେଣ୍ଟରେ
ଆଇଆଇଟି ଖଡ଼ଗପୁରରେ ମୁଖ୍ୟ ନିଯୁକ୍ତିଦାତା କମ୍ପାନୀଗୁଡ଼ିକ ହେଉଛି, Qualcomm, Microsoft, Google, Uber, Intel, American Express, Honeywell, Samsung, IBM ଇତ୍ୟାଦି। ପ୍ଲେସ୍ମେଣ୍ଟ ୩ ଦିନ (ଶୁକ୍ରବାର ପର୍ଯ୍ୟନ୍ତ) ଧରି ଚାଲିଥିଲା। ଆଇଆଇଟି ଖଡ଼ଗପୁରର ଜଣେ ପ୍ରବକ୍ତା କହିଛନ୍ତି ଯେ ସଫ୍ଟେଓ୍ଵର, ଆନାଲିଟିକ୍ସ, କନ୍ସଲଟିଙ୍ଗ୍, କୋର୍ ଇଞ୍ଜିନିୟରିଙ୍ଗ୍, ବ୍ୟାଙ୍କିଙ୍ଗ୍, ଫାଇନାନ୍ସ ସମେତ ସମସ୍ତ କ୍ଷେତ୍ରର ୧୦୦ରୁ ଅଧିକ କମ୍ପାନୀ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିଲେ।