ଦୀପାବଳି ପୂର୍ବରୁ କୃଷକଙ୍କୁ ବଡ଼ ଉପହାର ଦେବେ ସରକାର, ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ଏବେ ମିଳିବ ୧୨,୦୦୦ ଟଙ୍କା

ଯଦି ଆପଣ କୃଷିକାର୍ଯ୍ୟ କରନ୍ତି ଓ ଏବେ ଯାଏଁ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ ନିଜ ନାମ ପଞ୍ଜିକରଣ କରିନାହାନ୍ତି, ତେବେ ଶୀଘ୍ର କରାଇନିଅନ୍ତୁ। କାରଣ ଏହି ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି। ଦୀପାବଳିରେ ମୋଦି କୃଷକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ରିପୋର୍ଟ ମୁତାବକ, ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅର୍ଥ ରାଶିକୁ ଦ୍ୱିଗୁଣିତ କରିପାରନ୍ତି। ଏଥିପାଇଁ ପ୍ରସ୍ତାବ ଦିଆଯାଇଛି। ଯଦି ଏହି ପ୍ରସ୍ତାବ ଉପରେ ମୋହର ବାଜେ ତେବେ ବର୍ତ୍ତମାନ କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ଜାଗାରେ ୧୨୦୦୦ ଟଙ୍କା ମିଳିବ।

ଏବେ ଏହି ଯୋଜନାରେ କୃଷକଙ୍କୁ ଗୋଟିଏ ବର୍ଷରେ ୨ହଜାର କରି ତିନିଟି କିସ୍ତିରେ ୬୦୦୦ ଟଙ୍କା ମିଳୁଛି। ଯଦି ଏବେ ଏହି ରାଶି ଦୁଇ ଗୁଣ ହୋଇଯାଏ ତେବେ ଗୋଟିଏ କିସ୍ତିରେ ମିଳୁଥିବା ୨୦୦୦ଟଙ୍କା ବଢ଼ି ୪୦୦୦ ହୋଇଯିବ। କୁହାଯାଉଛି ଯେ ଏହି ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ଏନେଇ ଘୋଷଣା କରିପାରନ୍ତି।

ରିପୋର୍ଟ ମୁତାବକ, ନିକଟରେ ବିହାରର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ ଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ ପିଏମ୍‌ କିଷାନ ସମ୍ମାନ ନିଧିର ଅର୍ଥରାଶି ଦୁଇ ଗୁଣ ହେବାକୁ ଯାଉଛି। ଏହା ପରଠାରୁ ହିଁ ଏନେଇ ବିଭିନ୍ନ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ଯେ ସରକାର ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.