ନୂଆଦିଲ୍ଲୀ : ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟଙ୍କ୍ (ଆରବିଆଇ) ବନ୍ଧକମୁକ୍ତ କୃଷି ଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି । ଏହା ଆସନ୍ତା ବର୍ଷ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ । କୃଷି କ୍ଷେତ୍ରରେ ବଡ଼ୁଥିବା ଖର୍ଚ୍ଚ ଏବଂ କ୍ଷୁଦ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଆରବିଆଇ ଏହି ଘୋଷଣା କରିଛି ।
ନୂତନ ନୀତି ଅନୁଯାୟୀ, ଚାଷୀମାନେ କୌଣସି ବନ୍ଧକ କିମ୍ବା ମାର୍ଜିନ ବିନା ସମସ୍ତ କୃଷି କାର୍ଯ୍ୟକଳାପ ପାଇଁ ଋଣ ପାଇପାରିବେ । ପ୍ରତି ଋଣୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କୃଷି ଓ କୃଷି ସମ୍ବନ୍ଧୀୟ ଋଣ ଦେବାକୁ ଆରବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି । ଏହା ପୂର୍ବରୁ ଏହା ଅଧୀନରେ ୧. ୬ ଲକ୍ଷ ପର୍ଯ୍ୟନ୍ତ ସୀମା ରହିଥିଲା । ଏହିପରି ଭାବରେ ଆରବିଆଇ ଚାଷୀଙ୍କ ଋଣ ସୀମାକୁ ୪୦ ହଜାର ଟଙ୍କା ବୃଦ୍ଧି କରିଛି ।
ଚାଷରେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ ଓ ଚାଷୀଙ୍କ ପାଇଁ ଋଣ ଉପଲବ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ମନ୍ତ୍ରଣାଳୟ କହିଛି । ଏହି ପଦକ୍ଷେପ ଦ୍ୱାରା ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଚାଷୀ ଉପକୃତ ହେବେ । ଏଥି ସହ ବ୍ୟାଙ୍କଗୁଡ଼ିକୁ ସମ୍ପୃକ୍ତ ଆଦେଶକୁ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ନୂତନ ଋଣ ନିୟମ ବିଷୟରେ ଗ୍ରାହକଙ୍କୁ ଯଥାସମ୍ଭବ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ କିସାନ କେ୍ରଡିଟ କାର୍ଡରେ (କେସିସି) ଋଣ ନେବା ସହଜ କରିବା ସହ ସରକାରଙ୍କ ସଂଶୋଧିତ ସୁଧ ସବଭେନସନ ଯୋଜନାରେ ସହାୟକ ହେବ ବୋଲି ଆଶା କରାଯାଉଛି, ଯାହା ୪ ପ୍ରତିଶତ ସୁଧହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥାଏ । ତେବେ ଦେଶର ୧୨ କୋଟିରୁ ଅଧିକ କୃଷକ ଆରବିଆଇ ଦ୍ୱାରା କାର୍ଯ୍ୟକାର ହେଉଥିବା ଏହି ନିୟମର ଲାଭ ଉଠାଇ ପାରିବେ ବୋଲି କୃଷି ମନ୍ତ୍ରାଳୟ କହିଛି ।