ପହିଲାରୁ ମହଙ୍ଗା ହେବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା

ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ଏପରିକି ଏଟିଏମ୍ ବ୍ୟବହାରରେ ବି ମହଙ୍ଗା ହେବାକୁ ଯାଉଛି। ଆରବିଆଇ ସମସ୍ତ ବ୍ୟାଙ୍କକୁ ଜାନୁଆରୀ ୧, ୨୦୨୨ ରୁ ଏଟିଏମ୍ କାରବାର ପାଇଁ ଦେୟ ବୃଦ୍ଧି କରିବାକୁ ଅନୁମତି ଦେଇଛି ।

ଆରବିଆଇ ଅନୁଯାୟୀ, ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକଙ୍କୁ ନଗଦ ଏବଂ ଅନ୍ୟାନ୍ୟ ଆର୍ଥିକ ସେବା ପାଇଁ ପ୍ରତିମାସରେ ଏକ ନିଶୁଳ୍କ ସୀମା ସ୍ଥିର କରିଥାନ୍ତି । ଆଉ ଏହି ସାମୀ ଠାରୁ ଅଧିକ ଥର ବ୍ୟବହାର କଲେ ବ୍ୟାଙ୍କ ଗୁଡ଼ିକ ଦେୟ ଆଦାୟ କରିଥାନ୍ତି । ରିଜର୍ଭ ବ୍ୟାଙ୍କ ଅନୁସାରେ, ଅଧିକ ଅଦଳବଦଳ ଚାର୍ଜ ଏବଂ ମୂଲ୍ୟ ବୃଦ୍ଧି ହେତୁ ବ୍ୟାଙ୍କଗୁଡିକୁ ଏଟିଏମ୍ ରୁ ଟଙ୍କା ଉଠାଣ ଦେୟ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥାଏ। ବର୍ତ୍ତମାନ ଠାରୁ ଆକ୍ସିସ୍ ବ୍ୟାଙ୍କ୍, ଏଚଡିଏଫସି ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ଟଙ୍କା ଉଠାଣ କରିବା ଦ୍ୱାରା ଅଧିକ ଦେୟ ଦେବାକୁ ହେବ ।

ବର୍ତ୍ତମାନ ବ୍ୟାଙ୍କ ପ୍ରତିମାସରେ ସର୍ବାଧିକ ୮ ଥର ଏଟିଏମ୍ ରୁ ଟଙ୍କା ଉଠାଣ ପାଇଁ ଅନୁମତି ଦେଇଥାଏ । ଏଥିରେ ଆର୍ଥିକ ଓ ଅଣ-ଆର୍ଥିକ ସେବା ଉଭୟ ସାମିଲ ରହିଛି । ଯେଉଁ ବ୍ୟାଙ୍କରେ ଗ୍ରାହକଙ୍କ ଖାତା ରହିଛି ସେହି ବ୍ୟାଙ୍କର ଏଟିଏମ୍ ରୁ ସର୍ବାଧିକ ୫ ଥର ଟଙ୍କା ଉଠାଯାଇପାରିବ । ରିଜର୍ଭ ବ୍ୟାଙ୍କର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଏଟିଏମ୍ ରୁ ଟଙ୍କା ଉଠାଣ ପାଇଁ ୨୦ ଟଙ୍କା ଶୁଳ୍କ ନିଆଯାଉଛି କିନ୍ତୁ ନୁତନ ବର୍ଷରୁ ଏହି ଚାର୍ଜକୁ ବଢ଼ାଇ ୨୧ ଟଙ୍କା କରିଦିଆଯିବ । ସେହିପରି ଯଦି ଆପଣ ଅନ୍ୟ କୌଣସି ବ୍ୟାଙ୍କ ର ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି ତେବେ ଆପଣଙ୍କ ଠାରୁ ପୂର୍ବରୁ ୧୫ ଟଙ୍କା ନିଆଯାଉଥିଲା କିନ୍ତୁ ଏହାକୁ ଅଗଷ୍ଟ ମାସରୁ ହିଁ ବଢ଼ାଇ ୧୭ ଟଙ୍କା କରିଦିଆଯାଇଛି ।

ଏଥିସହିତ ଯଦି ଆପଣ ATM ରୁ ବାଲାନ୍ସ ଚେକ୍ କରନ୍ତି କିମ୍ବା ଏକ ମିନି ଷ୍ଟେଟମେଣ୍ଟ ଦେଖନ୍ତି, ତେବେ ଏଥିରେ ମଧ୍ୟ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ କମ୍ ହେବ । ସେହିପରି ଏଟିଏମକୁ ଯାଇ କାର୍ଡର PIN ପରିବର୍ତ୍ତନ କରନ୍ତି ତେବେ ଏହା ମଧ୍ୟ ଟ୍ରାଞ୍ଜାକ୍ସନରେ ଗଣାଯିବ। ଅବଶ୍ୟ, କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଅଣ-ଆର୍ଥିକ କାରବାର ଉପରେ ଦେୟରୁ ରିହାତି ପ୍ରଦାନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.