ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେଠୁ ୧୫ବର୍ଷ ପୁରୁଣା ସରକାରୀ ଗାଡ଼ିର ହେବନି ରେଜିଷ୍ଟ୍ରେସନ

ସରକାର କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ। ସରକାର ନେଲେ ନୂଆ ନିଷ୍ପତ୍ତି । ଆଉ ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୁରୁଣା ଗାଡି ସବୁ ଚିହ୍ନଟ କରାଯିବ । ସମସ୍ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ କରାଯିବ । ଏନେଇ ସ୍ବତନ୍ତ୍ର ନିୟମ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଘରୋଇ ଯାନ ଭଳି ସରକାରୀ ଗାଡ଼ି ଗୁଡ଼ିକ ମଧ୍ୟ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ ହେବ ।
ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡିର ପଞ୍ଜୀକରଣ ବାଧ୍ୟତାମୂଳକ ବାତିଲ କରାଯିବ । ଯେଉଁ ଯାନଗୁଡିକର ରେଜିଷ୍ଟ୍ରେସନ ରିନ୍ୟୁଆଲ ହୋଇଛି (୧୫ ବର୍ଷରୁ ଅଧିକ), ତାହା ମଧ୍ୟ ସ୍ୱୟଂଚାଳିତ ଭାବରେ ବାତିଲ ବୋଲି ବିବେଚନା କରାଯିବ । ଏହିପରି ସମସ୍ତ ପୁରୁଣା ଯାନକୁ ଏକ ପଞ୍ଜୀକୃତ ସ୍କ୍ରାପ୍ ସେଣ୍ଟରରେ ଡିସପୋଜ୍ କରିବାକୁ ପଡିବ ।
କେନ୍ଦ୍ର ସରକାରଙ୍କ ଯାନ, ରାଜ୍ୟ ସରକାରଙ୍କ ଯାନ, ୟୁନିଅନ ଅଞ୍ଚଳର ଯାନ, ନିଗମର ଯାନ, ରାଜ୍ୟ ପରିବହନ ଯାନ, ପିଏସୟୁର ଯାନ (ପବ୍ଲିକ ସେକ୍ଟର ଅଣ୍ଡରଟେକିଂ) ଏବଂ ସରକାରୀ ସ୍ୱୟଂଶାସିତ ଅନୁଷ୍ଠାନ ଗୁଡିକ ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ଯାନକୁ ସ୍କ୍ରାପ୍ କରିବାକୁ ପଡିବ । ତେବେ ସେନା ଯାନ ଏଥିରେ ସାମିଲ ନୁହେଁ । ଏହି ନୂଆ ଆଦେଶ ୧ ଏପ୍ରିଲ ୨୦୨୩ ରୁ ଲାଗୁ ହେବ ।
କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସି ନୀତି ଅନୁଯାୟୀ, ୧୫ ବର୍ଷ ପୁରୁଣ ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ରଦ୍ଦ କରାଯିବ । ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ନୀତି ଆପଣାଇଛନ୍ତି ସରକାର । ୧୫ ବର୍ଷ ପୁରୁଣା କମର୍ସିଆଲ୍ ଗାଡ଼ି ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିର ଫିଟ୍ନେସ୍ ଜରୁରୀ । ଏଥିରେ ପାସ୍ ହେଲେ ପୁରୁଣା ଗାଡ଼ି ରିନ୍ୟୁ ହେବା ସହ ଫିଟ୍ନେସ୍ ଫେଲ୍ ଗାଡ଼ିକୁ କବାଡିରେ ଦିଆଯିବ । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟ ବିଭାଗର ୧୫ ବର୍ଷ ପୁରୁଣା ଗାଡ଼ିକୁ ରିନ୍ୟୁ ହେବନାହିଁ । ଏହାକୁ କବାଡ଼କୁ (ସ୍କ୍ରାପ୍କୁ) ଦିଆଯିବ । ପୁରୁଣା ଗାଡ଼ି ସ୍କ୍ରାପ୍କୁ ଦେଲେ ନୂଆ ଗାଡ଼ି ର ଏକ୍ସ ଶୋରୁମ୍ ରାଶି ଉପରେ ୪ ରୁ ୬ % ରିହାତି ମିଳିବ । ରେଜିଷ୍ଟେଡ୍ ସ୍କାପ୍ ସେଣ୍ଟରରେ ଗାଡ଼ି ଦେଲେ ଇନ୍ସେଟିଭ୍ ସହ ଏକ ସାର୍ଟିଫିକେଟ୍ ମିଳିବ । ଏହି ସାର୍ଟିଫିକେଟ୍ ଦେଖାଇଲେ କାର୍ କମ୍ପାନୀ ୫% ପର୍ଯ୍ୟନ୍ତ ରିହାତି ଦେବ । ସ୍କ୍ରାପିଂ ସାର୍ଟିଫିକେଟ୍ ଦାଖଲ କଲେ ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍ ଫିସ୍ ମଧ୍ୟ ଛାଡ଼ କରାଯାଇପାରେ ।
ତେବେ ଗତ ବର୍ଷ ନଭେମ୍ବରରେ ସଡକ ପରିବହନ ମନ୍ତ୍ରଣାଳୟ ଏକ ଡ୍ରାଫ୍ଟ ଜାରି କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ୧୫ ବର୍ଷ ପୁରୁଣା ଯାନକୁ ସ୍କ୍ରାପ୍ କରିବାକୁ ପଡିବ । କର୍ପୋରେସନ୍ ଏବଂ ପରିବହନ ବିଭାଗର ବସ୍ ଏବଂ ଯାନରେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି କୁହାଯାଇଥିଲା । ତା’ପରେ ସରକାର ୩୦ ଦିନ ମଧ୍ୟରେ ଡ୍ରାଫ୍ଟ ଉପରେ ପରାମର୍ଶ ଏବଂ ଆପତ୍ତି ଲୋଡିଥିଲେ । ବର୍ତ୍ତମାନ ସରକାର ଏହି ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ଗତ ନଭେମ୍ବରରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ, ୧୫ ବର୍ଷରୁ ଅଧିକ ସରକାରୀ ଗାଡିଗୁଡିକ ଜଙ୍କରେ ପରିଣତ ହେବ । ଏହା ସହ ଜଡିତ ନୀତି ରାଜ୍ୟମାନଙ୍କୁ ପଠାଯାଇଛି । ସେ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏକ ଫାଇଲରେ ଦସ୍ତଖତ କରାଯାଇଛି, ଯେଉଁଥିରେ ୧୫ ବର୍ଷରୁ ଅଧିକ ପୁରୁଣା ଭାରତ ସରକାରଙ୍କ ସମସ୍ତ ଗାଡ଼ି କବାଡ଼ିରେ ଦିଆଯିବ। । ଏହି ନୀତି ସମସ୍ତ ରାଜ୍ୟକୁ ପଠାଇଛି, ସେମାନେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ୍ ।