ଜମ୍ମୁ ଓ କଶ୍ମୀରରେ ପୁଞ୍ଜି ନିବେଶ ପାଇଁ ଫିଟିଛି ବାଟ, ଇଣ୍ଡଷ୍ଟ୍ରି ନିର୍ମାଣ କରିବ ରିଲାଏନ୍ସ

ଜମ୍ମୁ ଓ କଶ୍ମୀର ଉପରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଆଗ୍ରହ ପ୍ରକାଶ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। ଜମ୍ମୁ ଓ କଶ୍ମୀର, ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସାଦର ଗ୍ରହଣ କରିଥିବା ନେଇ କହିଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଟ୍ଵିଟ୍‌ କରି ମୁକେଶ କହିଛନ୍ତି, ଆଗାମୀ ଦିନରେ ଜମ୍ମୁ ଓ କଶ୍ମୀର, ଲଦାଖ୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବା ନେଇ ତାଙ୍କ କମ୍ପାନୀ ଅନେକ ଘୋଷଣା କରିବ। ମୁଖ୍ୟତଃ ପର୍ଯ୍ୟଟନ, କୃଷି, ଆଇଟି ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରିଲାଏନ୍ସ କମ୍ପାନୀ ପୁଞ୍ଜି ନିବେଶ କରିବା ନେଇ ଯୋଜନା ଥିବା କହିଛନ୍ତି ମୁକେଶ ଅମ୍ବାନୀ । ନିକଟରେ ଜମ୍ମୁ ଓ କାଶ୍ମୀରରେ ଅମୂଲ ଇଣ୍ଡିଆ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଥିବା ବେଳେ ଷ୍ଟିଲବାର୍ଡ କମ୍ପାନୀ ହେଲମେଣ୍ଟ ତିଆରି କମ୍ପାନୀ ସ୍ଥାପନ ନେଇ ଘୋଷଣା କରିସାରିଛି। ଲେମନ ଟ୍ରି କମ୍ପାନୀ କରିବ ହୋଟେଲ୍‌। ବର୍ତ୍ତମାନ ଜମ୍ମୁ ଓ କଶ୍ମୀରରେ ଲୁପିନ୍‌, କାଡିଲା ଫାର୍ମାସିଟିକାଲ, କୋକୋକୋଲା, ରେଡିସନ, ଡାବର ଓ ବ୍ରଜର ପେଣ୍ଟ ଭଳି ବହୁ କମ୍ପାନୀ ବ୍ୟବସାୟ ଜାରି ରଖିଛନ୍ତି।