ଅନଲାଇନରେ ମିଳିବ ରୟାଲ ଏନଫିଲ୍ଡ, ବିଗ୍ ବିଲିୟନ ଡେ ସେଲ୍ ଆଣୁଛି ଖାସ୍ ଅଫର

ଯଦି ଆପଣ ଜଣେ ବୁଲେଟ୍ ପ୍ରେମୀ ତେବେ ଆପଣଙ୍କ ପାଇଁ ଖୁସି ଖବର । ରୟାଲ୍ ଏନଫିଲ୍ଡ ବୁଲେଟ୍ 350 ସମେତ ଅନେକ ମଡେଲ୍ କିଣିବାକୁ ଚାହୁଁଥିଲେ ଆପଣଙ୍କୁ ସୋ’ରୁମ୍ ଯିବାକୁ ପଡ଼ିବ ନାହିଁ । କେବଳ ଗୋଟିଏ କ୍ଲିକରେ କିଛି ଦିନ ଭିତରେ ହିଁ ଆପଣଙ୍କ ଘର ଆଗରେ ପହଞ୍ଚିବ ବାଇକ । ସେ ପୁଣି ଡିସକାଉଣ୍ଟରେ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ରୟାଲ୍ ଏନଫିଲ୍ଡ ଫ୍ଲିପ୍‌କାର୍ଟ ସହିତ ଏକ ଚୁକ୍ତି କରିଛି । ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ ଡେ ସେଲ୍ ପୂର୍ବରୁ ଏହି ଚୁକ୍ତି ହୋଇଛି । ଗ୍ରାହକମାନେ ସେଲ୍ ସମୟରେ ଏହାର ଲାଭ ପାଇବେ । ପ୍ରଥମ ଥର ପାଇଁ ରୟାଲ୍ ଏନଫିଲ୍ଡ ଅନଲାଇନରେ ଏହାର ମୋଟରସାଇକେଲ୍ ବିକ୍ରି କରିବ ।

ଚୁକ୍ତି ଅନୁଯାୟୀ ରୟାଲ୍ ଏନଫିଲ୍ଡ ସେପ୍ଟେମ୍ବର ୨୨ ତାରିଖରୁ Flipkart ରେ ଏହାର 350-ସିସି ମଡେଲ୍ ରେଞ୍ଜକୁ ଉପଲବ୍ଧ କରାଇବ । ସବୁଠାରୁ ଖାସ୍ କଥା ହେଉଛି ରୟାଲ୍ ଏନଫିଲ୍ଡର ଏହି ବାଇକ୍ କିଣିଲେ ଆପଣଙ୍କୁ ଦୁଇଗୁଣା ଲାଭ ମିଳିବ । କାହିଁକି ନା ୨୨ ସେପ୍ଟେମ୍ବରରୁ ହିଁ GST ହ୍ରାସ କାର୍ଯ୍ୟକାରୀ ହେବ । ଅର୍ଥାତ ଗ୍ରାହକମାନେ କେବଳ ବିଗ୍ ବିଲିୟନ ଡେ ସେଲ୍ ର ଲାଭ ପାଇବେ ନାହିଁ ବରଂ GST ହ୍ରାସ ଯୋଗୁଁ ଦୁଇଗୁଣା ଲାଭ ପାଇବେ । Flipkart ସହ ହୋଇଥିବା ଚୁକ୍ତି ଦ୍ବାରା ରୟାଲ ଏନଫିଲ୍ଡ ମୋଟରସାଇକେଲଗୁଡ଼ିକର ବିକ୍ରି ଅଧିକ ହେବ ।  ଖାସ୍ କରି ଭାରତୀୟ ଗ୍ରାହକମାନେ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତି ଅଧିକ ଆକର୍ଷିତ ହେଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

ବିଗ୍ ବିଲିୟନ ଡେ ସେଲ୍ ସମୟରେ ଗ୍ରାହକମାନେ ଫ୍ଲିପକାର୍ଟରେ ରୟାଲ ଏନଫିଲ୍ଡ ମୋଟରସାଇକେଲ କିଣିପାରିବେ । କମ୍ପାନୀ ଫ୍ଲିପକାର୍ଟ ମାଧ୍ୟମରେ ବୁଲେଟ୍ 350, କ୍ଲାସିକ୍ 350, ହଣ୍ଟର 350, ଗୋଆନ୍ କ୍ଲାସିକ୍ 350 ଏବଂ ନୂଆ ମେଟିୟର୍ 350 ଭଳି ମଡେଲ୍ ବିକ୍ରି କରିବ । ଗୁରୁଗ୍ରାମ, ଏନସିଆର, ବେଙ୍ଗାଲୁରୁ, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ବାଇର ଗ୍ରାହକମାନେ ଫ୍ଲେକ୍ସିବଲ୍ ପେମେଣ୍ଟ ଅପ୍ସନ ଏବଂ GST ଛାଡ଼ ସହିତ ଅନଲାଇନରେ ବାଇକ ଅର୍ଡର ଏବଂ କିଣିପାରିବେ । କହି ରଖୁଛୁ ଜେନ ଜି ଗ୍ରାହକଙ୍କ ମଧ୍ୟରେ ଖାସ୍ କରି ଲୋକପ୍ରିୟ ହୋଇପାରିଛି ରୟାଲ ଏନଫିଲ୍ଡ ।

ରୟାଲ ଏନଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ କହିଛନ୍ତି, ଫ୍ଲିପକାର୍ଟ ସହିତ ପାର୍ଟନରସିପ୍ କରିବା ଦ୍ବାରା ଡିଜିଟାଲ ଗ୍ରାହକଙ୍କ ପାଖରେ ପହଞ୍ଚିବା ସହଜ ହେବ । ଏବେ ଲୋକମାନେ ଅନଲାଇନରେ ସେମାନଙ୍କର ପ୍ରିୟ ବାଇକକୁ ସର୍ଚ୍ଚ ଏବଂ ବୁକ୍ କରିପାରିବେ । ବର୍ତ୍ତମାନ ଏହି ଅଫର କେବଳ ପାଞ୍ଚଟି ସହରରେ ଉପଲବ୍ଧ । କିନ୍ତୁ ଖୁବଶୀଘ୍ର କମ୍ପାନୀ ଏହାକୁ ଅଧିକ ସ୍ଥାନରେ ବିସ୍ତାର କରିବାକୁ ଯୋଜନା କରୁଛି । ଅନ୍ୟପଟେ ଟିଭିଏସ୍ ଆପାଚି, ହିରୋ ଏକ୍ସଟ୍ରିମ୍, ହିରୋ ସ୍ପେଣ୍ଡର ପ୍ଲସ୍, କେଟିଏମ୍ ୨୦୦ ଡ୍ୟୁକ୍, ବାଜାଜ୍ ପଲ୍ସର୍ ଏବଂ ସୁଜୁକି ଜିକ୍ସର ଭଳି ବାଇକ୍ ବର୍ତ୍ତମାନ ଫ୍ଲିପକାର୍ଟରେ ଉପଲବ୍ଧ ।

Also Read: ପୁରୁଣା ମୋଟରସାଇକେଲକୁ ମନେ ପକାଇବ ରୟାଲ ଏନଫିଲ୍ଡର ରିକଲ୍‌ ନୋଟିସ, ଜାଣନ୍ତୁ କଣ