ଅବସରପ୍ରାପ୍ତ ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଚାକିରି; ଜାଣନ୍ତୁ କେଉଁମାନେ କରି ପାରିବେ ଆବେଦନ ଓ କେମିତି…

ଯଦି ଆପଣ ଅବସରପ୍ରାପ୍ତ ଏବଂ ନିଜ ପାଇଁ ଏକ ବ୍ୟାଙ୍କ ଚାକିରି ଖୋଜୁଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ ରହିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଏହି ନିଯୁକ୍ତି ପାଇଁ ଏସ୍‌ବିଆଇ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଆହ୍ଵାନ କରିଛି। ଆବେଦନ ପ୍ରକ୍ରିୟା ୧୦ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି ପାଇଁ ଇଚ୍ଛୁକ ଅଛନ୍ତି, ତା’ ହେଲେ ଆବେଦନ କରିବା ଲାଗି ଏସ୍‌ବିଆଇର ଅଫିସିଆଲ େଓ୍ଵବ୍‌ସାଇଟ https://bank.sbi/careers ଏବଂ www.sbi.co.in/careers ଭିଜିଟ୍‌ କରି ପାରିବେ। ଇଚ୍ଛକ ପ୍ରାର୍ଥୀମାନେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସରର ଏହି ପଦବୀ ପାଇଁ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରି ପାରିବେ।

ପଦ ସଂଖ୍ୟା:

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସରର ମୋଟ ୪୭ ପଦରେ ନିଯୁକ୍ତି ପାଇଁ ଆବେଦନ ମାଗିଛି। ସେଥି ମଧ୍ୟରୁ ୨୧ଟି ପଦରେ ସାଧାରଣ ବର୍ଗର ଆଶାୟୀମାନଙ୍କର ନିଯୁକ୍ତି କରାଯିବ।

କେଉଁମାନେ କରି ପାରିବେ ଆବେଦନ:

ଯେଉଁ ପ୍ରାର୍ଥୀମାନେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିଛନ୍ତି, ସେହିମାନେ ହିଁ କେବଳ ଏହି ଚାକିରି ପାଇଁ ଆବେଦନ କରି ପାରିବେ। ସ୍ୱଇଚ୍ଛାରେ ଅବସର ନେଇଥିବା, ଇସ୍ତଫା ଦେଇଥିବା କିମ୍ବା ଅବସର ପୂର୍ବରୁ ବ୍ୟାଙ୍କ ଚାକିରି ଛାଡ଼ିଥିବା ବ୍ୟକ୍ତି ଏହି ନିଯୁକ୍ତି ପାଇଁ ଯୋଗ୍ୟ ହେବେ ନାହିଁ।

ଶିକ୍ଷାଗତ ଯୋଗ୍ୟତା:

ଏସ୍‌ବିଆଇ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ସେବାନିବୃତ୍ତ ଅଧିକାରୀ ଏବଂ ପୂର୍ବ ସହଯୋଗୀମାନଙ୍କର ନିଯୁକ୍ତି ନିମନ୍ତେ ଏହି ସୁବର୍ଣ୍ଣ ସୁଯୋଗ ଆଣିଛି। ଏଥିପାଇଁ ଏହି ନିଯୁକ୍ତି ଲାଗି କୌଣସି ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକ ନାହିଁ। ଅପରପକ୍ଷେ ଏହି ପଦରେ କାର୍ଯ୍ୟ ଅନୁଭବ, ପ୍ରଣାଳୀ ଏବଂ ପ୍ରକ୍ରିୟାଗୁଡ଼ିକ ସମ୍ବନ୍ଧରେ ଗଭୀର ଜ୍ଞାନ ରଖୁଥିବା ପୂର୍ବତନ ଅଧିକାରୀମାନଙ୍କୁ ହିଁ ଅଗ୍ରାଧିକାର ଦିଆଯିବ।

ଇଣ୍ଟରଭ୍ୟୁରୁ ହେବ ଚୟନ:

ଏସ୍‌ବିଆଇର ଏହି ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯାଇ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଇଣ୍ଟରଭ୍ୟୁ ୧୦୦ ମାର୍କ ବିଶିଷ୍ଟ ହେବ। ଇଣ୍ଟରଭ୍ୟୁ କଲ୍‌ ଲେଟର ଆଶାୟୀମାନଙ୍କୁ ଇ-ମେଲ୍‌ ଜରିଆରେ ପଠାଇ ଦିଆଯିବ, ନଚେତ୍‌ ସେମାନଙ୍କୁ େଓ୍ଵବ୍‌ସାଇଟରୁ ଡାଉନଲୋଡ୍‌ କରିବାକୁ ପଡ଼ିବ। ମନୋନୀତ ପ୍ରାର୍ଥୀମାନଙ୍କର ନିଯୁକ୍ତି ୧ ବର୍ଷ ପାଇଁ ହେବ, ଯାହାକୁ ଅତି ବେଶିରେ ଆଗାମୀ ୩ ବର୍ଷ ପାଇଁ ବୃଦ୍ଧି କରାଯାଇ ପାରେ।

କେତେ ହେବ ଦରମା:

୧. MMGS-II ୪୦,୦୦୦ ଟଙ୍କା ପ୍ରତି ମାସ

୨. MMGS-III ୪୦,୦୦୦ ଟଙ୍କା ପ୍ରତି ମାସ

୩. SMGS-IV ୪୫,୦୦୦ ଟଙ୍କା ପ୍ରତି ମାସ

ଅନଲାଇନ ଆବେଦନର ଶେଷ ତାରିଖ: ୩୧ ଅକ୍ଟୋବର, ୨୦୨୨

ସେହିପରି ୟୁକୋ ବ୍ୟାଙ୍କ ୧୦ ସିକ୍ୟୁରିଟି ଅଫିସର ପଦବୀରେ ନିଯୁକ୍ତି ସୁଯୋଗ ଆଣିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଅଫିସିଆଲ ୱେବସାଇଟ ucobank.com କୁ ଯାଇ ଆପଣ ଆବେଦନ କରି ପାରିବେ। ସିକ୍ୟୁରିଟି ଅଫିସର ପଦବୀ ପାଇଁ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୯ ଅକ୍ଟୋବର ୨୦୨୨ ରହିଛି।

Leave A Reply

Your email address will not be published.