ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ବଜେଟ, ୧ ଲକ୍ଷ ୫୦ହଜାର କୋଟି ଟପିବ ବୋଲି ଆକଳନ

ଆଜି ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ବଜେଟ । ଏଥର ବଜେଟ୍‌ ଆକାର ୧ ଲକ୍ଷ ୫୦ହଜାର କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି। ସ୍ୱତନ୍ତ୍ର ଭାବେ କୃଷି ବଜେଟ୍‌ ଆସିବ। ବଜେଟରେ କୃଷି, ଜଳସେଚନ ଓ ଭିତ୍ତିଭୂମିକୁ ମିଳିବ ଅଧିକ ଗୁରୁତ୍ୱ। ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟୟବରାଦ ହୋଇପାରେ। ଏହାସହ ଲିଙ୍ଗରାଜ, ସମଲେଶ୍ୱରୀ ଓ ତାରାତାରିଣୀ ମନ୍ଦିରର ବିକାଶ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହେବା ସମ୍ଭାବନା ରହିଛି। ସେହିପରି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ତାଳେଶ୍ୱର-ଉଦୟପୁର ସମୁଦ୍ରତଟରେ ବିଶ୍ୱସ୍ତରୀୟ ବେଳାଭୂମିରେ କଟେଜ ନିର୍ମାଣ କରିବା ପାଇଁ ମଧ୍ୟ ବଜେଟରେ ବ୍ୟୟବରାଦ ହୋଇପାରେ। ଏଥର ଡିଜିଟାଲ ଫର୍ମରେ ଉପଲବ୍‌ଧ ହେବ ବଜେଟ୍‌ ତଥ୍ୟ। ଅର୍ଥ ବିଭାଗ ଏଥିପାଇଁ ଓଡ଼ିଶା ବଜେଟ୍‌ ନାଁରେ ଏକ ଆପ୍‌ ଡେଭଲପ କରିଛି। ବିଧାନସଭାରେ ବଜେଟ୍‌ ଉପସ୍ଥାପିତ ହେବା ପରେ ବଜେଟ୍‌ ସମ୍ପର୍କିତ ସମସ୍ତ ତଥ୍ୟ ଏହି ଆପ୍‌ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ଦେଖିପାରିବେ।