ସେୟାର ବଜାର: ସେନସେକ୍ସ ୧୦୦ ପଏଣ୍ଟ ବୃଦ୍ଧି, ନିପ୍ଟି ପାଖାପାଖି ୨୩,୬୦୦

ଭାରତୀୟ ସେୟାର ବଜାର ଦୁଇ ଦିନର ବଡ଼ ପତ୍ତନ ପରେ ସପ୍ତାହର ଚତୁର୍ଥ ଦିନ ଗୁରୁବାର ଗ୍ରୀନ୍ ଜୋନରେ କାରବାର ଆରମ୍ଭ କରିଥିଲା । ଉଭୟ ପ୍ରମୁଖ ଇଣ୍ଡେକ୍ସ ସାମାନ୍ୟ ହ୍ରାସ ସହିତ ଖୋଲିଥିଲା । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୦ ଇଣ୍ଡେକ୍ସ ୧୬.୯୦ ପଏଣ୍ଟ ଅର୍ଥାତ୍ ୦.୦୦୭ ପ୍ରତିଶତ ତଳକୁ ଖସି ୨୩,୫୪୨.୧୫ ପଏଣ୍ଟରେ ଖୋଲିଥିଲା । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୫୪.୦୧ ପଏଣ୍ଟ ଅର୍ଥାତ୍ ୦.୦୭ ପ୍ରତିଶତ ତଳକୁ ଖସି ୭୭.୬୩୬.୯୪ରେ ଖୋଲିଥିଲା । ଯଦିଓ କିଛି ସମୟ ମଧ୍ୟରେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଥିଲା ।

ସକାଳ ୯ଟା ୪୮ ମିନିଟରେ ସେନସେକ୍ସ ୧୧୧.୭୭ ପଏଣ୍ଟ (୦.୧୪%) ବୃଦ୍ଧି ସହିତ ୭୭,୮୦୨.୭୨ ଏବଂ ନିଫ୍ଟି ୨୫.୯୦ ପଏଣ୍ଟ (୦.୧୧%) ବୃଦ୍ଧି ସହିତ ୨୩,୫୮୪.୯୫ରେ କାରବାର କରୁଥିଲେ । ନିଫ୍ଟି ବ୍ୟାଙ୍କ ୨୯୭.୫୫ ପଏଣ୍ଟ ଅର୍ଥାତ୍ ୦.୫୯ ପ୍ରତିଶତ ବୃଦ୍ଧି ପରେ ୫୦,୩୮୫.୯୦ରେ ରହିଥିଲା । ନିଫ୍ଟି ମିଡକ୍ୟାପ୍ ୧୦୦ ଇଣ୍ଡେକ୍ସ ୨୬୧.୯୫ ପଏଣ୍ଟ ବା ୦.୪୯ ପ୍ରତିଶତର ବୃଦ୍ଧି ପରେ ୫୪,୦୬୨.୮୦ ସ୍ତରରେ କାରବାର କରୁଥିଲା । ସେପଟେ ନିଫ୍ଟି ସ୍ମଲକ୍ୟାପ୍ ୧୦୦ ଇଣ୍ଡେକ୍ସ ୧୧୪.୩୫ ପଏଣ୍ଟ ଅର୍ଥାତ୍ ୦.୬୬ ପ୍ରତିଶତ ବୃଦ୍ଧି ପରେ ୧୭,୫୭୩.୨୫ରେ ରହିଥିଲା  ।

ସେନସେକ୍ସ ପ୍ୟାକରେ HCL ଟେକ୍, ଏସିଆନ୍ ପେଣ୍ଟସ୍, ଏନଟିପିସି, ଇଣ୍ଡସଇଣ୍ଡ ବ୍ୟାଙ୍କ, ଏସବିଆଇ, HDFC ବ୍ୟାଙ୍କ ଏବଂ ଟେକ୍ ମହିନ୍ଦ୍ରା ସର୍ବାଧିକ ଲାଭକାରୀ ରହିଥିଲେ । ତେବେ ଅଲଟ୍ରା ଟେକ୍ ସିମେଣ୍ଟ, ପାୱାର ଗ୍ରୀଡ୍, ଆକ୍ସିସ୍ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ମାରୁତି ଏବଂ ଏମ୍ ଆଣ୍ଡ ଏମ୍ ସର୍ବାଧିକ ହାରିଥିଲେ ।

ଯଦିଓ ଭାରତୀୟ ଷ୍ଟକ ବଜାର ପାଇଁ ବୁଧବାରର କାରବାର କ୍ଷତି ହୋଇଛି । ଭାରି ବିକ୍ରୟ ହେତୁ ଉଭୟ ନିଫ୍ଟି ଏବଂ ସେନସେକ୍ସ ପାଞ୍ଚ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲେ । ଗତକାଲିର କାରବାରରେ ସେନସେକ୍ସ ୯୮୪ ପଏଣ୍ଟ ଅର୍ଥାତ୍ ୧.୨୫ ପ୍ରତିଶତ ତଳକୁ ଖସି ୭୭,୬୯୦ ଏବଂ ନିଫ୍ଟି ୩୨୪ ପଏଣ୍ଟ ଅର୍ଥାତ୍ ୧.୩୬ ପ୍ରତିଶତ ତଳକୁ ଖସି ୨୩,୫୫୯ରେ ବନ୍ଦ ହୋଇଥିଲା ।

You might also like