ହସ୍ପିଟାଲରେ ଭର୍ତ୍ତି ହୋଇ ନ ଥିଲେ ମଧ୍ୟ ମିଳି ଯାଇଥାଏ ଆୟୁଷ୍ମାନ ଯୋଜନାର ଫାଇଦା, ଜାଣନ୍ତୁ କ’ଣ ଆପଣ ବି ଏହି ଲାଭର ହକଦାର?

ଆୟୁଷ୍ମାନ କାର୍ଡ ଯୋଜନା ଅଧୀନରେ ପ୍ରତିବର୍ଷ ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥାଏ। ଏଥିରେ ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ଗରିବ ପରିବାରଙ୍କୁ ଲାଭ ଦିଆଯାଇଥାଏ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କୁ ସାମିଲ କରିଛନ୍ତି।

ଆୟୁଷ୍ମାନ କାର୍ଡ ପାଇଁ କ’ଣ ରହିଛି ଯୋଗ୍ୟତା

୧. ଗ୍ରାମୀଣ ଅଞ୍ଚଳରେ ଆୟୁଷ୍ମାନ କାର୍ଡ ଯୋଜନାରେ ଆସିବା ପାଇଁ ଆପଣଙ୍କ ପାଖରେ କଚ୍ଚା ଗୃହ, ପରିବାରର ମୁଖିଆ ମହିଳା ହୋଇଥିବେ, ପରିବାରରେ କେହି ଦିବ୍ୟାଙ୍ଗ ଥିବେ, ଅନୁସୂଚିତ ଜାତି ଓ ଜନଜାତିର ହୋଇଥିବେ, ଭୂମିହୀନ ବ୍ୟକ୍ତି ଓ ଦିନ ମଜୁରିଆ ହୋଇଥିବା ଦରକାର। ଏହାଛଡ଼ା ଘର ନ ଥିବା ବ୍ୟକ୍ତି, ନିରାଶ୍ରୟ, ଭିକ୍ଷା ମାଗୁଥିବା ବ୍ୟକ୍ତି, ଆଦିବାସୀ ଏବଂ ଆଇନ ଅନୁସାରେ ବନ୍ଧନ ମୁକ୍ତ ଲୋକଙ୍କୁ ଆୟୁଷ୍ମାନ କାର୍ଡ ଯୋଜନାର ଲାଭ ଦିଆଯାଇଥାଏ।

୨. ସହର ଅଞ୍ଚଳ ପାଇଁ ଭିକାରି, ଅଳିଆ ଗୋଟାଉଥିବା ଲୋକ, ଘରୋଇ କାମଧନ୍ଦା କରୁଥିବା ଲୋକ, ରାସ୍ତାକଡ଼ ଦୋକାନୀ, ମୋଚି, ଫେରିବାଲା, ରାସ୍ତାରେ କାମ କରୁଥିବା ଲୋକ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏଥି ସହିତ କନ୍‌ଷ୍ଟ୍ରକ୍ସନ ସାଇଟ୍‌ରେ କାମ କରୁଥିବା ଶ୍ରମିକ, ପାଇପ୍‌ ମିସ୍ତ୍ରୀ, ରାଜମିସ୍ତ୍ରୀ, ଦିନ ମଜୁରିଆ, ଚିତ୍ରକାର, ଝଳେଇ ମିସ୍ତ୍ରୀ, ସିକ୍ୟୁରିଟି ଗାର୍ଡ, ବୋଝିଆ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେହିପରି ସଫେଇ କର୍ମୀ, ଟେଲର, ଡ୍ରାଇଭର, ରିକ୍ସା ଚାଳକ, ଦୋକାନରେ କାମ କରୁଥିବା ଲୋକ ଆୟୁଷ୍ମାନ କାର୍ଡର ଲାଭ ପାଇପାରିବେ।

ବିନା ଭର୍ତ୍ତିରେ କେମିତି ମିଳିଥାଏ ଲାଭ

ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆସୁଥିବା ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଯୋଜନାର ଲାଭ ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି। କୌଣସି ବି ସରକାରୀ ହସ୍ପିଟାଲରେ ଭର୍ତ୍ତି ସମୟରେ ଏହି ଯୋଜନା ପ୍ରଥମ ଦିନରୁ ହିଁ ଲାଗୁ ହୋଇଯାଇଥାଏ ଏବଂ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଦିଆଯାଇଥାଏ। ଯଦି ରୋଗୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଏ ଏବଂ କାର୍ଡରେ ୫ ଲକ୍ଷ ଟଙ୍କାର ବୀମା ଉପଯୋଗ ହୋଇପାରେ ନାହିଁ, ତା’ହେଲେ ଆପଣ ଔଷଧ ଓ ଅନ୍ୟାନ୍ୟ ଜରୁରୀ ଜିନିଷକୁ ବିନା ଭର୍ତ୍ତିରେ ନେଇ ପାରିବେ।

ଗମ୍ଭୀର ରୋଗର ହୋଇଥାଏ ଚିକିତ୍ସା

ଆୟୁଷ୍ମାନ ଯୋଜନା ଅଧୀନରେ ଗୁରୁତର ରୋଗର ଚିକିତ୍ସା କରାଯାଇଥାଏ। ଏଥିରେ କ୍ୟାନ୍ସର, ଡେଙ୍ଗୁ, କରୋନା ଭାଇରସ୍‌, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗ ଅନ୍ତର୍ଭୁକ୍ତ ରହିଛି। ଏହି ଯୋଜନାରୁ ଗୋଟିଏ ବର୍ଷରେ ୧୦.୭୪ କୋଟିରୁ ଅଧିକ ଗରିବ ଏବଂ ବଞ୍ଚିତ ପରିବାର କିମ୍ବା ପାଖାପାଖି ୫୦ କୋଟି ଲାଭାର୍ଥୀ ଲାଭ ପାଇପାରିବେ। ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର୍ଯ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.