Ola ଇଲେକ୍ଟ୍ରିକ୍ସକୁ ସରକାରଙ୍କ ତରଫରୁ ନୋଟିସ୍ ଜାରି, ୧୫ ଦିନ ଭିତରେ ମାଗିଲେ ଜବାବ

Ola ସ୍କୁଟରକୁ ନେଇ ବିବାଦ ଥମିବାର ନାଁ ନେଉନି । ଏଭଳି ପରିସ୍ଥିତିରେ ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି (ସିସିପିଏ) ତରଫରୁ ଓଲାକୁ ନୋଟିସ ଜାରି କରାଯାଇଛି । ଉପଭୋକ୍ତା ଅଧିକାର ଉଲ୍ଲଂଘନ, ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଅନ୍ୟାୟ ବାଣିଜ୍ୟ ବ୍ୟାପାର ଅଭିଯୋଗରେ ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି (CCPA) ଇଲେକ୍ଟ୍ରିକ ଦୁଇ ଚକିଆ କମ୍ପାନୀ ଓଲା ଇଲେକ୍ଟ୍ରିକ୍ସକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ।

ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜରେ ଦାଖଲ କରିଥିବା ଓଲା ଇଲେକ୍ଟ୍ରିକ୍ କହିଛି ଯେ ଏହା ଅକ୍ଟୋବର ୭ ରେ ଇମେଲ ମାଧ୍ୟମରେ ଏକ ସିସିପିଏର କାରଣ ଦର୍ଶାଅ ନୋଟିସ ପାଇଛି । ତାଙ୍କୁ ୧୫ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି । କମ୍ପାନୀର କହିବାନୁସାରେ, ଗ୍ରାହକ ଅଧିକାରର ଉଲ୍ଲଂଘନ, ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥାକୁ ନେଇ ସିସିପିଏ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି । ସିସିପିଏ କହିଛି ଯେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୃକ୍ତ ଡକ୍ୟୁମେଣ୍ଟ ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜବାବ ଦେବାକୁ ହେବ ।

ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଓଲା ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲ ଏବଂ ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମ୍ରାଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ପରେ କମ୍ପାନୀର ଇଲେକ୍ଟ୍ରିକ ସ୍କୁଟରର ସର୍ଭିସିଂ ତଥା କ୍ୱାଲିଟି ସମ୍ପର୍କରେ ଏହି ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଓଲା ଇଲେକ୍ଟ୍ରିକ୍ ଗ୍ରାହକଙ୍କ ସର୍ଭିସିଂ ସମ୍ବନ୍ଧୀୟ ପ୍ରସଙ୍ଗ ପରେ କୁନାଲ ଏହି ପ୍ରସଙ୍ଗ ଉଠାଇଥିଲେ । ସେ ଉପଭୋକ୍ତା ମାମଲା ବିଭାଗର ଅଫିସିଆଲ୍ ହ୍ୟାଣ୍ଡେଲକୁ ‘ଟ୍ୟାଗ୍’ ମଧ୍ୟ କରିଥିଲେ ।

ନିକଟ ଅତୀତରେ ଓଲା ଇଲେକ୍ଟ୍ରିକ୍ ମୋବିଲିଟିର ସେୟାରରେ ଏକ ବଡ଼ ହ୍ରାସ ଘଟିଥିଲା । ଚଳିତ ବର୍ଷ ଅଗଷ୍ଟରେ ଓଲା ଇଲେକ୍ଟ୍ରିକ୍ ମୋବିଲିଟି ସେୟାରଗୁଡିକ ୭୬ ଟଙ୍କା ମୂଲ୍ୟରେ ତାଲିକାଭୁକ୍ତ ହୋଇଥିଲା । ଏହା ପରେ ସେୟାର ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ୧୫୭.୪ ଟଙ୍କାକୁ ବୃଦ୍ଧି ପାଇଲା । ଏହି ସ୍ତରରୁ ଷ୍ଟକ୍ ୪୩ ପ୍ରତିଶତ ହ୍ରାସ ପାଇଛି । ତେବେ କେବେ Ola ସ୍କୁଟରକୁ ନେଇ ଏହି ବିବାଦ ସରୁଛି ତାହା ଦେଖିବା ବାକି ରହିଲା ।