ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ହେଉ କି ସ୍ବେଚ୍ଛାକୃତ ଭବିଷ୍ୟନିଧି ପାଣ୍ଠି(ଭିପିଏଫ୍)ରେ ଏଣିକି କର୍ମଚାରୀଙ୍କ ବାର୍ଷିକ ଯୋଗଦାନ ୨.୫ ଲକ୍ଷରୁ ଅଧିକ ହେବ ସେ କ୍ଷେତ୍ରରେ ସଦସ୍ୟଙ୍କୁ ମିଳିଥିବା ସୁଧ ଉପରେ ଟିକସ ଦେବାକୁ ହେବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଚଳିତବର୍ଷ ଅଗଷ୍ଟ ୩୧ରେ ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛି। ସିବିଡିଟି ପକ୍ଷରୁ ପିଏଫ୍ ଆକାଉଣ୍ଟରେ ଅଧିକ ଅର୍ଥ ଯୋଗଦାନ ଉପରେ ମିଳୁଥିବା ସୁଧ ଉପରେ ଟିକସ ସମ୍ବନ୍ଧୀୟ ଏକ ଚିଠା ନିୟମ ଜାରି କରାଯାଇଛି। ଏହି ଅନୁଯାୟୀ, ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ଅର୍ଜିତ ସୁଧ ଉପରେ ଟିକସ ହିସାବ କରିବାକୁ ଏକ ପୃଥକ ପିଏଫ୍ ଆକାଉଣ୍ଟ ଖୋଲାଯିବ। ୨୦୨୨ ଏପ୍ରିଲ୍ ୧ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କୁହାଯାଉଛି।
ପିଏଫ୍ ଖାତାରେ କର୍ମଚାରୀଙ୍କ ଅବଦାନ ରାଶିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ଲାଗି ଆୟକର ନିୟମରେ ‘ଧାରା ୯ଡି’ ନାମକ ଏକ ନୂଆ ଧାରା ଯୋଡ଼ାଯିବ। ସୁଧ ଆୟ ଉପରେ ଟିକସ ହିସାବ ଲାଗି ଇପିଏଫ୍ର ପ୍ରତି ଖାତାରେ ଦୁଇଟି ଅଲଗା ଖାତା ରହିବ। ଯେଉଁ ଖାତାରେ ମୋଟା ଅଙ୍କର ସୁଧ ଆୟ ହେଉଛି ସେଗୁଡ଼ିକ ଏହି ନିୟମ ଦ୍ବାରା ପ୍ରଭାବିତ ହେବେ। ୨୦୨୧-୨୨ ଆର୍ଥିକବର୍ଷରେ ଯଦି ଆପଣଙ୍କର ପିଏଫ୍ ଆକାଉଣ୍ଟରେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜମା ଅଛି ତେବେ ଆପଣ ପାଇଥିବା ସୁଧ ଉପରେ ଟିକସ ଦେବାକୁ ପଡିବ। ଆସନ୍ତା ବର୍ଷର ଆୟକର ରିଟର୍ଣ୍ଣ ଦାଖଲରେ ଆପଣଙ୍କୁ ଏହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ। ପିଏଫ୍ ଆକାଉଣ୍ଟରେ ପ୍ରତିବର୍ଷ ୨.୫ ଲକ୍ଷ ଟଙ୍କା ଏହି ସୀମା ଘରୋଇ କର୍ମଚାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଛି।
ଯଦି ଆପଣ ଜଣେ ସରକାରୀ କର୍ମଚାରୀ, ତେବେ ଇପିଏଫ୍ ଏବଂ ଭିପିଏଫ୍ ପାଇଁ ଏହି ଅର୍ଥ ଯୋଗଦାନର ସୀମା ହେଉଛି ବାର୍ଷିକ ୫ ଲକ୍ଷ ଟଙ୍କା। ଯଦି ଜଣେ ସରକାରୀ କର୍ମଚାରୀଙ୍କ ଇପିଏଫ୍ ଏବଂ ଭିପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥ ପରିମାଣ ବାର୍ଷିକ ୫ ଲକ୍ଷରୁ ଅଧିକ ହେବ, ତେବେ ସେମାନଙ୍କୁ ଏହାର ସୁଧ ଉପରେ ଟିକସ ଦେବାକୁ ପଡିବ।