୧୮ କ୍ୟାରେଟ୍ ସୁନାରେ ତିଆରି ଏହି Rolls-Royce, ସୁନ୍ଦର ଡିଜାଇନ୍ ସହ ବଢ଼ିଆ ଇଣ୍ଟେରିୟର୍

ରୋଲ୍ସ-ରୋଏସ୍ ସବୁବେଳେ ଏକ ବିଳାସପୂର୍ଣ୍ଣ ଯାନ ଭାବରେ ବେଶ ଜଣାଶୁଣା । ଏହି କାର ନିର୍ମାତା କମ୍ପାନୀ ବର୍ତ୍ତମାନ ଏକ କାର ଆଣିଛି ଯାହାର କ୍ୟାବିନ ୧୮ କ୍ୟାରେଟ ସୁନାରେ ନିର୍ମିତ । ଆଇକନିକ୍ ଫିଲ୍ମ ଜେମ୍ସ ବଣ୍ଡରେ ଦେଖାଯାଇଥିବା ରୋଲ୍ସ-ରୋଏସ୍ କାରକୁ ଧ୍ୟାନରେ ରଖି ଏହି କାର୍ ଡିଜାଇନ୍ କରାଯାଇଛି । ଏହି ଫିଲ୍ମର ଭିଲେନ୍ ଗୋଲ୍ଡଫିଙ୍ଗର ଏହି ଫିଲ୍ମରେ ଏକ ରୋଲ୍ସ-ରୋଏସ୍ ଫାଣ୍ଟମ୍ ବ୍ୟବହାର କରିଥିଲେ ।

ରୋଲ୍ସ-ରୋଏସ୍ ଗୋଲ୍ଡଫିଙ୍ଗରର ଡିଜାଇନ୍:

ରୋଲ୍ସ-ରୋଏସ୍ ର ଗାଡ଼ି ଗୁଡିକ ବିଭିନ୍ନ ଡିଜାଇନରେ କଷ୍ଟୋମାଇଜ୍ ହୋଇପାରେ ଏବଂ ଏଥିପାଇଁ ଏହା ବେଶ ଲୋକପ୍ରିୟ ମଧ୍ୟ । ସୁନାରେ ନିର୍ମିତ ଏହି କାରଟି ୧୯୩୭ର ଫାଣ୍ଟମ୍ III ପରି ଡିଜାଇନ୍ ହୋଇଛି, ଯାହା ଡବଲ୍ ଟୋନ୍ କମ୍ବିନେସନ୍ ସହିତ ଆସେ । ଏହି ଗାଡ଼ିକୁ କଳା ଏବଂ ହଳଦିଆ ରଙ୍ଗ ସହିତ ଅଣାଯାଇଛି । ଏହି ଗାଡିରେ ଥିବା Spirit of Ecstasy ପ୍ରତିମୂର୍ତ୍ତିକୁ ୧୮ କ୍ୟାରେଟ୍ ସୁନା ପାଣି ଚଢ଼ାଯାଇଛି । ଏହି ବିଳାସପୂର୍ଣ୍ଣ କାରରେ ଫ୍ଲୋଟିଂ ସିଲଭର୍ ହବ୍ କ୍ୟାପ୍ସ ସହିତ ୨୧ ଇଞ୍ଚର ବ୍ଲାକ୍ ହ୍ଵିଲ୍ ଅଛି ।

ଏହି ଚକଗୁଡିକ ସହିତ କାରଟି ଗୋଲ୍ଡଫିଙ୍ଗରର କାର ପରି ଦେଖାଯାଉଛି । ରୋଲ୍ସ-ରୋଏସ୍ ଗୋଲ୍ଡଫିଙ୍ଗର କ୍ୟାବିନରେ ଥିବା ସମସ୍ତ ଏଲିମେଣ୍ଟସଗୁଡ଼ିକ ସୁନାରେ ନିର୍ମିତ । ଏହି କାରରେ ଏକ ୧୮ କ୍ୟାରେଟ୍ ଗୋଲ୍ଡ ବାର୍ ଅଛି । ୧୯୬୪ ଫିଲ୍ମରେ ଗୋଲ୍ଡ ଫିଙ୍ଗର ଏକ ଲାଇନ୍ କହିଥିଲା ​​- ‘ଦିସ୍ ଇଜ୍ ଗୋଲ୍ଡ, ମିଷ୍ଟର ବଣ୍ଡ’, ଏହି ଲାଇନ୍ ଗାଡ଼ିର ଗ୍ଲୋଭବକ୍ସରେ ଲେଖାଯାଇଛି, ଯାହାଫଳରେ ଫିଲ୍ମର ଥିମ୍ ସମ୍ପୂର୍ଣ୍ଣ ଇଣ୍ଟେରିୟର ନଜର ଆସିଛି । ଏହି ଫିଲ୍ମରେ ଭିଲେନ୍ ଗୋଲ୍ଡଫିଙ୍ଗର କାରରେ ସୁନା ଚୋରା ଚାଲାଣ କରୁଥିଲେ ।

ରୋଲ୍ସ-ରୋଏସ୍ ଫାଣ୍ଟମ୍ ଗୋଲ୍ଡଫିଙ୍ଗରର ବୁଟ୍-ସ୍ପେସ୍ ରେ ଏକ 007-ଲୋଗୋ ପ୍ରୋଜେକ୍ଟର୍ ଲଗାଯାଇଛି । ଏହି ଗାଡ଼ିର ଲାଇସେନ୍ସ ପ୍ଲେଟରେ AU 1 ଲେଖାଯାଇଛି, କାରଣ କେମେଷ୍ଟ୍ରିରେ ସୁନାର ସିମ୍ବଲ୍ ହେଉଛି AU । ଏହା ଲେଖା ଯିବା ଯୋଗୁଁ ଏହି ଗାଡ଼ି ସୁନାରେ ନିର୍ମିତ ବୋଲି ସୂଚନା ଦେଇଥାଏ ।