Vodafone ୩୯୯ ଟଙ୍କାର ପ୍ଲାନ୍‌ରେ ଏବେ ମିଳିବ ୧୫୦ଜିବି ଅତିରିକ୍ତ ଡାଟା, ଜାଣନ୍ତୁ କେଉଁ ଗ୍ରାହକ ଉଠାଇପାରିବେ ଫାଇଦା

ଟେଲିକମ୍‌ କମ୍ପାନୀ ଓ ମୋବାଇଲ ବ୍ୟବହାରକାରୀଙ୍କ ମଧ୍ୟରେ ଏବେ ଅନେକ ସମସ୍ୟା ଉପୁଜିଛି। ରିଲାଏନ୍ସ ଜିଓ ତରଫରୁ ନିକଟରେ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ଦ୍ୱାରା ଅତିରିକ୍ତ ପଇସା ନେବାକୁ ଘେଷଣା କରାଯିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି। ରିଲାଏନ୍ସର ଏହି ଘୋଷଣା ପରେ ଅନ୍ୟ ଟେଲିକମ୍‌ କମ୍ପାନୀ ଜିଓକୁ ଟ୍ରୋଲ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଜିଓର ଏଭଳି ଘୋଷଣାର ଫାଇଦା ଉଠାଇବାକୁ ଅନ୍ୟ କମ୍ପାନୀମାନେ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି।

Vodafone-Idea ଏବେ ଉପଲବ୍ଧ ଏକ ପ୍ଳାନ୍‌ ଉପରେ ଗ୍ରାହକଙ୍କୁ ଅଧିକ ଡାଟା ଦେବାକୁ ଘୋଷଣା କରିଛି। ୩୯୯ ଟଙ୍କାର ପୋଷ୍ଟପେଡ୍‌ ପ୍ଲାନ୍‌ ଉପରେ ଏବେ କମ୍ପାନୀ ୧୫୦ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଦେବ। କେବଳ ଏତିକି ନୁହେଁ ଏହାର ସମୟସୀମା ୬ ମାସ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି।

Vodafone ୩୯୯ ର ରେଡ୍‌ ପୋଷ୍ଟ ପେଡ୍‌ ପ୍ଲାନ୍‌ରେ ବର୍ତ୍ତମାନ ଗ୍ରାହକଙ୍କୁ ପ୍ରତିମାସରେ ୪୦ଜିବି ଡାଟା ମିଳୁଛି। ଏଥିସହ ଅନ୍‌ଲିମିଟେଡ୍‌ କଲିଂ ଓ ରୋମିଂ ସୁବିଧା ମଧ୍ୟ ମିଳୁଛି। ତେବେ କମ୍ପାନୀ ଏହି ପ୍ଲାନ୍‌ରେ ଏବେ ଗ୍ରାହକଙ୍କୁ ୧୫୦ଜିବି ଅତିରିକ୍ତ ଡାଟା ଦେବ ବୋଲି ଘୋଷଣା କରିଛି, ଯାହାର ସମୟସୀମା ୬ ମାସ ରହିବ।

ଏହାସହ ପଢନ୍ତୁ: ହାତ ଛାଡ଼ିଲା ଜିଓ, ଏବେ ଫ୍ରି-କଲ୍‌ ସୁବିଧା ଦେବେ ଏହି କମ୍ପାନୀ

ସୂଚନାଯୋଗ୍ୟ ଯେ ଭୋଡାଫୋନ୍‌ ଏହି ପ୍ଲାନ୍‌ରେ ୨୦୦ଜିବି ଡାଟା ରୋଲଓଭର ଲିମିଟ୍‌ କରିଛି। ଅର୍ଥାତ୍‌ ଗୋଟିଏ ମାସରେ ଯଦି ଗ୍ରାହକ ଡାଟା ବ୍ୟବହାର କରିନପାରିଲେ ତେବେ ତାହା ପରବର୍ତ୍ତୀ ମାସର ଡାଟା ସହ ମିଶିଯିବ। କମ୍ପାନୀର କହିବାନୁସାରେ, ଏହି ପ୍ଲାନ୍‌ରେ ଗ୍ରାହକ ମୋଟ୍‌ ୨,୪୯୭ ଟଙ୍କାର ଲାଭ ଉଠାଇପାରିବେ। ବର୍ତ୍ତମାନ ଗ୍ରାହକମାନେ ପୋଷ୍ଟପେଡ୍‌କୁ ପ୍ରି-ପେଡ୍‌ରେ ପରିବର୍ତ୍ତିତ କରୁଥିବାର ଭୋଡାଫୋନ୍‌ ଏଭଳି ପନ୍ଥା ଆପଣାଇଥିବା ଜଣାଯାଇଛି।