ଭାରତୀୟ ରେଳବାଇରେ କନଫର୍ମ ଟିକେଟ ପାଇବା ସହଜ କଥା ନୁହେଁ । ବେଳେବେଳେ ଟିକେଟ୍ ବୁକ୍ କରିବା ସମୟରେ ଭୁଲ ତାରିଖରେ ଟିକେଟ ବୁକ୍ ହୋଇଯାଏ । ପ୍ରଥମତଃ ଟିକେଟ୍ ମିଳିବା ମୁସ୍କିଲ ତା ଉପରକୁ ଭୁଲ୍ ତାରିଖ ଯାତ୍ରୀଙ୍କ ଚିନ୍ତା ବଢ଼ାଇଦିଏ । ଯଦି ଆପଣଙ୍କ ସହ ଏମିତି କିଛି ଘଟିଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ରିପୋର୍ଟ ଅନୁସାରେ ଭାରତୀୟ ରେଳବାଇ ଖୁବ୍ ଶୀଘ୍ର ଏହାର ଯାତ୍ରୀମାନଙ୍କୁ ଏକ ନୂଆ ସୁବିଧା ପ୍ରଦାନ କରିବ । ଏହି ସୁବିଧା ଯାତ୍ରୀମାନଙ୍କୁ ସେମାନଙ୍କର କନଫର୍ମ ଟିକେଟରେ ତାରିଖ ପରିବର୍ତ୍ତନ କରିବାକୁ ଅନୁମତି ଦେବ । ଏଥିପାଇଁ ଆପଣଙ୍କର ଆର୍ଥିକ କ୍ଷତି ବି ହେବ ନାହିଁ ।
ଟ୍ରେନ ଯାତ୍ରୀମାନେ ଯାତ୍ରା ସମୟରେ ସବୁବେଳେ ବିଭିନ୍ନ ସୁବିଧା ଆବଶ୍ୟକ କରନ୍ତି , କିନ୍ତୁ ଆପଣ ସେହି ସୁବିଧାଗୁଡ଼ିକର ଲାଭ କିପରି ଉଠାଇବେ ତାହା ସଠିକ୍ ଭାବରେ ଜାଣିବା ଉଚିତ । ମିଳିଥିବା ଖବର ଅନୁସାରେ ଏବେ ଆପଣ ଘରେ ବସି କନଫର୍ମ ଟିକେଟର ତାରିଖ ପରିବର୍ତ୍ତନ କରିପାରିବେ ତାହା ପୁଣି ସମ୍ପୂର୍ଣ୍ଣ ମାଗଣା।
ଯାତ୍ରୀମାନଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ପରିବର୍ତ୍ତନ ଯାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତିକର ହେବ । ଯାତ୍ରୀମାନଙ୍କୁ କନଫର୍ମ ଟିକେଟରେ ତାରିଖ ପରିବର୍ତ୍ତନ କରିବାର ଅପ୍ସନ ଦିଆଯିବ, ଏବଂ ଖାସ୍ କଥା ହେଉଛି, ଏହା କରିବା ପାଇଁ ଆପଣଙ୍କର କୌଣସି ଟଙ୍କା କଟିବ ନାହିଁ । ସରଳ ଭାବରେ କହିବାକୁ ଗଲେ, ଯଦି ଆପଣଙ୍କର ନଭେମ୍ବର ୩୦ ତାରିଖରେ ଦିଲ୍ଲୀରୁ ଜୟପୁରକୁ ଏକ କନଫର୍ମ ଟିକେଟ୍ ହୋଇଛି ଏବଂ କୌଣସି କାରଣରୁ ଆପଣଙ୍କର ପ୍ଲାନ୍ ଚେଞ୍ଜ ହୁଏ ଏବଂ ଆପଣ ପାଞ୍ଚ ଦିନ ପରେ ଯିବାକୁ ଚାହିଁବେ, ତେବେ ଆପଣଙ୍କୁ ଡିସେମ୍ବର ୫ ତାରିଖରେ ନୂଆ ଟିକେଟ୍ କିଣିବାକୁ ପଡ଼ିବ ନାହିଁ ।
ଆପଣ ନିଜର ନଭେମ୍ବର ୩୦ ତାରିଖର ଟିକେଟ୍ କୁ ଏଡିଟ୍ କରିପାରିବେ ଏବଂ ସମାନ ଟିକେଟ୍ ବ୍ୟବହାର କରି ଡିସେମ୍ବର ୫ ତାରିଖରେ ଜୟପୁର ବା ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ । ବର୍ତ୍ତମାନ ଯାତ୍ରୀମାନେ ନିଜର ଯାତ୍ରା କ୍ୟାନ୍ସଲ କଲେ ଟିକେଟ୍ ବି କ୍ୟାନ୍ସଲ କରିବାକୁ ପଡ଼ୁଛି । ଫଳରେ ଦୁଇଟି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯାତ୍ରୀ । ପ୍ରଥମତଃ ରେଳବାଇ ଏକ କ୍ୟାନ୍ସଲେସନ୍ ଫିସ୍ ଆଦାୟ କରେ ଏବଂ ଦ୍ୱିତୀୟତଃ ଯେଉଁ ତାରିଖରେ ଆପଣ ଗନ୍ତବ୍ୟସ୍ଥଳକୁ ଯିବାକୁ ଚାହିଁବେ ସେତେବେଳେ ଆପଣଙ୍କୁ କନଫର୍ମ ଟିକେଟ୍ ମିଳିବ କି ନାହିଁ ତାହା ଚିନ୍ତାର ବିଷୟ ହୋଇପଡ଼େ ।
ରିପୋର୍ଟ ଅନୁଯାୟୀ ରେଳମନ୍ତ୍ରୀ ନିଜେ ଏହି ବିଷୟରେ ନିଜର ମତ ରଖିଛନ୍ତି, କହିଛନ୍ତି ଯେ ଏହି ବ୍ୟବସ୍ଥା ସଠିକ୍ ନୁହେଁ । ମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟବସ୍ଥା ପରିବର୍ତ୍ତନ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇଛି ଏବଂ କାମ ଚାଲିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଯାତ୍ରୀ ଶେଷ ମୁହୂର୍ତ୍ତରେ ସେମାନଙ୍କର ଯାତ୍ରା ପ୍ଲାନିଂକୁ ଚେଞ୍ଜ କରନ୍ତି । ଟିକେଟ୍ କ୍ୟାନ୍ସଲ କରିବା ଦ୍ୱାରା କେବଳ ଆର୍ଥିକ କ୍ଷତି ହୁଏ ନାହିଁ ବରଂ ନୂଆ କନଫର୍ମ ଟିକେଟ୍ ପାଇଁ କୌଣସି ଗ୍ୟାରେଣ୍ଟି ମଧ୍ୟ ମିଳେ ନାହିଁ । ଏହି ନୂଆ ରେଳ ନିଷ୍ପତ୍ତି ଯାତ୍ରୀମାନଙ୍କୁ ନିଶ୍ଚିତ ଭାବେ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ ।
Also Read: ରେଳ ଷ୍ଟେସନରେ କାହିଁକି ଦେଖାଯାଏନି ମେଡିସିନ୍ ଷ୍ଟୋର, ଜାଣନ୍ତୁ କାରଣ