EPFO 3.0: ଆସୁଛି ନୂଆ ଯୋଜନା…ଏଟିଏମ୍ ରୁ ଉଠାଇପାରିବେ PF ଟଙ୍କା
କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) ‘EPFO 3.0’ ନାମକ ନୂତନ ସଂସ୍କରଣକୁ ନବୀକରଣ କରିବାକୁ ଯୋଜନା କରୁଛି । ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କୁ ଅବସରକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରୁଥିବା ଏହି ବ୍ୟବସ୍ଥା ବହୁତ ଜଲଦି ଏକ ବଡ଼ ପରିବର୍ତ୍ତନ ସହିତ ଆସିପାରେ । ଏହା କର୍ମଚାରୀମାନଙ୍କ ମୁଖ୍ୟ ସମସ୍ୟାକୁ ଦୂର କରିବ ।
ଏହି ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ଟଙ୍କାର ଆବଶ୍ୟକ ସମୟରେ ଏଟିଏମ୍ ଉପଯୋଗ କରିପାରିବେ । ଡେବିଟ୍ କାର୍ଡ ବ୍ୟବହାର କରି ସେମାନେ PF ଟଙ୍କା ଉଠାଇ ପାରିବେ ।
ଏଟିଏମରୁ ଟଙ୍କା ଉଠାଣର ଲିମିଟ୍ ମଧ୍ୟ ସ୍ଥିର କରାଯିବ । ଏହା ଦ୍ୱାରା ଅବସର ପରେ ମଧ୍ୟ ଆର୍ଥିକ ସୁରକ୍ଷା ବଜାୟ ରହିବ ଏବଂ ଜରୁରୀ ପରିସ୍ଥିତିରେ ଲିକ୍ୱିଡିଟି ରହିପାରିବ । କୁହାଯାଉଛି ଯେ ଏହି ପଦକ୍ଷେପ ସରକାରଙ୍କ ଉଚ୍ଚାଭିଳାଷୀ EPFO 3.0 ଯୋଜନାର ଏକ ଅଂଶ, ଯାହାର ଉଦ୍ଦେଶ୍ୟ ସେବାକୁ ଆଧୁନିକୀକରଣ କରିବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ସଞ୍ଚୟ ଉପରେ ଅଧିକ ନିୟନ୍ତ୍ରଣ ଦେବା ।
ଏଟିଏମ୍ ଉଠାଣ ସହିତ ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ଯୋଗଦାନ ଉପରେ ୧୨% ଅଂଶଦାନ ସୀମା ହଟାଇବାକୁ ମଧ୍ୟ ବିଚାର କରୁଛି, ଯାହା ଦ୍ୱାରା କର୍ମଚାରୀମାନେ ନିଜର ଆର୍ଥିକ ଲକ୍ଷ୍ୟ ଅନୁଯାୟୀ ଅଧିକ ସଞ୍ଚୟ କରିବାକୁ ସକ୍ଷମ ହେବେ ।
ରିପୋର୍ଟ ମୁତାବକ, ହିତାଧିକାରୀମାନଙ୍କୁ ଯେକୌଣସି ସମୟରେ ସୀମାଠାରୁ ଅଧିକ ଜମା କରିବାକୁ ସୁବିଧା ମିଳିପାରେ । ତେବେ ସ୍ଥିରତା ପାଇଁ ନିଯୁକ୍ତିଦାତାଙ୍କ ଅବଦାନ ବେତନଭିତ୍ତିକ ରହିବ । କର୍ମଚାରୀମାନେ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାର ସ୍ୱାଧୀନତା ପାଇପାରିବେ । ଫଳରେ କୌଣସି ପ୍ରତିବନ୍ଧକ ବିନା ସେମାନଙ୍କ ସଞ୍ଚୟ ବୃଦ୍ଧି ପାଇବ ।
ସୂଚନାଯୋଗ୍ୟ, ଏବେ EPFO ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅବସର ପାଣ୍ଠି ଜମା କରୁଛି । PF ଆକାଉଣ୍ଟ୍ ଅଧୀନରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ତରଫରୁ ବେତନର ୧୨ ପ୍ରତିଶତ ଅବଦାନ ପ୍ରଦାନ କରାଯାଏ । ସରକାର ଏହା ଉପରେ ବାର୍ଷିକ ସୁଧ ଦିଅନ୍ତି ।