ଜୋମାଟୋର ନୂଆ ବିଜ୍ଞାପନରେ ହ୍ରିତିକ ଓ କ୍ୟାଟ୍ରିନାଙ୍କୁ ଦେଖି ଟ୍ରୋଲ୍‌ କଲେ ଲୋକେ, ଏବେ ଏମିତି ସଫେଇ ଦେଲା କମ୍ପାନୀ

ନିକଟରେ ଜୋମାଟୋ ଦୁଇଟି ନୂଆ ବିଜ୍ଞାପନ ଆରମ୍ଭ କରିଛି। ଏଥିରେ ଜୋମାଟୋର ଡେଲିଭରି ବୟ ହ୍ରିତିକ ରୋଶନ ଓ କ୍ୟାଟ୍ରିନା କୈଫ୍‌ଙ୍କ ଘରକୁ ଡେଲିଭରି କରିବାକୁ ଯାଉଛନ୍ତି। କିନ୍ତୁ ସାମ୍ନାରେ ଦୁଇ ବଡ଼ ଷ୍ଟାରଙ୍କୁ ଦେଖି ମଧ୍ୟ କୌଣସି ରିଆକ୍ସନ୍‌ ନ ଦେଖାଇ ନିଜ କାମ ସାରି ଫେରିଆସୁଛନ୍ତି। ସେମାନେ ସେଲିବ୍ରିଟିଙ୍କୁ ଦେଖି ମଧ୍ୟ ନିଜ କାମ ଭୁଲିନାହାନ୍ତି ଓ ସମସ୍ତ କଷ୍ଟମରଙ୍କ ପ୍ରତି ସମାନ ଭାବନା ରଖିଥାନ୍ତି ବୋଲି ଏହି ବିଜ୍ଞାପନ ମାଧ୍ୟମରେ ଜୋମାଟୋ ଦର୍ଶାଇଛି। ଏହି ବିଜ୍ଞାପନର ଟ୍ୟାଗ୍‌ଲାଇନ୍‌ ରଖାଯାଇଛି ‘ସବୁ କଷ୍ଟମର ଷ୍ଟାର’।

କିନ୍ତୁ ଏହି ବିଜ୍ଞାପନ ପ୍ରସାରିତ ହେବା ପରେ ଗ୍ରାହକ ଜୋମାଟୋକୁ ପ୍ରଶଂସା କରିବେ କ’ଣ ଓଲଟା ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଜୋମାଟୋ ଡେଲିଭରି ବୟଙ୍କୁ ଦରମା ନ ଦେଇ ଏହି ବଡ଼ ବଡ଼ ସେଲିବ୍ରିଟିଙ୍କ ପଛରେ ଟଙ୍କା ଖର୍ଚ୍ଚ କରୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। କିଛି ଲୋକ କମେଣ୍ଟ ମଧ୍ୟ କରି କହିଛନ୍ତି ଯେ ଜୋମାଟୋ ଖାଲି ଦେଖେଇ ହେଉଛି। କିନ୍ତୁ ପ୍ରକୃତ କଥା ହେଉଛି କମ୍ପାନୀ ଡେଲିଭରି ବୟଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହେଁ।

ଏହି ନୂଆ ବିଜ୍ଞାପନକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବା ପରେ ଜୋମାଟୋ ଏବେ ସ୍ପଷ୍ଟୀକରଣ ଦେଇଛି। କମ୍ପାନୀ ପକ୍ଷରୁ ଟ୍ଵିଟ୍‌ କରାଯାଇ କୁହାଯାଇଛି ଯେ ଏହି ବିଜ୍ଞାପନ ଦୀର୍ଘ ଦିନ ପୂର୍ବରୁ ପ୍ଲାନ୍‌ କରାଯାଇଥିଲା ଓ ସୁଟିଂ ମଧ୍ୟ ୨ ମାସ ତଳୁ ସରିଛି। ସେତେବେଳେ ବର୍ତ୍ତମାନ ଭଳି ମାହୋଲ୍ଲ ନଥିଲା। ଏହି ବିଜ୍ଞାପନର ଉଦ୍ଦେଶ୍ୟ ନିଜ ଡେଲିଭରି ବୟଙ୍କୁ ହିରୋ ବୋଲି ଦର୍ଶାଇବା ବୋଲି କହିଛି ଜୋମାଟୋ।

Leave A Reply

Your email address will not be published.