ବାଲେଶ୍ୱର ସଦର ଆସନ ଲାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ ପ୍ରଚାର, କହିଲେ ବାଲେଶ୍ୱର ବିକାଶ ଦାୟିତ୍ୱ ମୁଁ ନେବି

କେନ୍ୟୁଜ୍(ବ୍ୟୁରୋ):  ତିର୍ତ୍ତୋଲ ପରେ ବାଲେଶ୍ୱର । ଡିଜିଟାଲ୍‌ କ୍ୟାମ୍ପେନିଂରେ ବାଲେଶ୍ୱର ସଦର ଆସନ ଲାଗି ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଲାଗି ଭର୍ଚୁଆଲ ପ୍ରଚାର କଲେ  ନବୀନ ପଟ୍ଟନାୟକ । ପ୍ରଚାରରେ  ନବୀନ  କହିଛନ୍ତି, କରୋନା ଗଲା ପରେ ସେ ବାଲେଶ୍ବର ଆସିବେ । ବାଲେଶ୍ୱରକୁ ସ୍ପେଶାଲ ଫୋକସ ଦିଆଯିବ , ବାଲେଶ୍ୱର ବିକାଶ ପାଇଁ ମୁଁ ଦାୟିତ୍ୱ ନେବି। ମୁଁ ଆପଣଙ୍କ ସହିତ ସବୁବେଳେ ଅଛି। ଏହି ଅବସରରେ ସେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ସ୍ମୃତିଚାରଣ କରିଥିଲେ । ଏଥିସହ  ବାଲେଶ୍ୱର ଆସିଲେ ଫକୀର ମୋହନ ସେନାପତିଙ୍କ କଥା ମନେପଡେ ବୋଲି ନବୀନ କହିଛନ୍ତି। ଫକୀରମୋହନ ସେନାପତି ହେଉଛନ୍ତି ମୋର ପ୍ରିୟ ଲେଖକ। ତାଙ୍କ ଦ୍ୱାରା ଲେଖାଯାଇଥିବା ଗଳ୍ପ ‘ରେବତୀ’ ମୋତେ ବହୁତ ଭଲ ଲାଗେ। ବାଲେଶ୍ବର କଥାପଡ଼ିଲେ ବିଜୁ ବାବୁ ଓ ଏପିଜେ ଅବଦୁଲ କାଲାମଙ୍କୁ ବି ମନେପଡେ। ଏପିଜେ ଅବଦୁଲ୍‌ କାଲାମଙ୍କୁ ବିଜୁ ବାବୁ କହୁଥିଲେ, ଆପଣ ଚାନ୍ଦିପୁରକୁ ଏଭଳି କରନ୍ତୁ, ଯେପରି ଚୀନ ଡରିବ। ଚାନ୍ଦିପୁରରୁ ଏବେ ମିସାଇଲ ଟେଷ୍ଟ କରାଯାଉଛି। ଏହି ମହାନ ଦେଶ ଭକ୍ତଙ୍କୁ ମନେ ପକାଯାଉଛି।

ଏହା  ସହ ନବୀନ କହିଛନ୍ତି ‘‘ମୁଁ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା। କିନ୍ତୁ ମୁଁ ଆପଣଙ୍କର ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହିଁ। ସେଥିପାଇଁ କୋଭିଡ ସମୟରେ ମୁଁ ବାଲେଶ୍ୱର ଗଲି ନାହିଁ। କୋଭିଡ ସ୍ଥିତି ସ୍ୱାଭାବିକ ହେଲେ ବାଲେଶ୍ୱର ଯିବି। ମୁଁ ଆପଣମାନଙ୍କ ସହିତ ସବୁବେଳେ ଅଛି’’ ବୋଲି ବାଲେଶ୍ବରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ।

Leave A Reply

Your email address will not be published.