ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ: ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିବାକୁ ଥିବାରୁ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କଟକଣା ଜାରି

ଭଦ୍ରକ: ଭଦ୍ରକରେ ୨୪ ଘଣ୍ଟିଆ କର୍ଫ୍ୟୁ । ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଭଦ୍ରକରେ ପହଞ୍ଚିବାକୁ ଥିବାରୁ କର୍ଫ୍ୟୁ ଜାରି କରାଯାଇଛି । ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରେଳ ଷ୍ଟେସନ୍‌ର ୫ ଶହ ମିଟର ପରିସରରେ କର୍ଫୁ ଲଗାଯାଇଛି । ଡଗରାସାହିରୁ ଗୁଣ୍ଠୁଣିଆ ବଜାର ଓ ରେଲେଓ୍ଵ ମାଲ ଗୋଦାମ, ତେଲଙ୍ଗାସାହି ଗଳି ଛକରୁ ଚରମ୍ପା କୈଳାସ ସିନେମା ହଲ୍‌ ଓ ଅନ୍ୟ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଟ୍ରେନ୍‌ ଭଦ୍ରକ ଚରମ୍ପା ଷ୍ଟେସନ୍‌ରେ ରହିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନା ଥାଉକି, ନୂଆଦିଲ୍ଲୀରୁ ୧୫ ଯୋଡ଼ା ସ୍ପେଶାଲ ପାସେଞ୍ଜର ଟ୍ରେନ ଦେଶର ପ୍ରମୁଖ ସହରକୁ ଯାତାୟତ କରିବ । ଆସନ୍ତାକାଲି ସକାଳ ୧୦ଟାରୁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଦିଲ୍ଲୀ ଅଭିମୁଖେ ଚାଲିବ । ୧୪ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସିବ । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ମୋଟ୍‌ ୧୭ଟି କୋଚ୍‌ ରହିବ । ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ଯିବା ବେଳେ ଏହି ଟ୍ରେନ୍‌ ବାଲେଶ୍ୱର, ହିଜିଲି, ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଦିନ୍‌ଦୟାଲ ଉପାଧ୍ୟାୟ ଜଙ୍କସନ୍‌ ଓ କାନ୍‌ପୁର ସେଣ୍ଟ୍ରାଲରେ ରହିବ । ଷ୍ଟେସନ ପରିସର ଓ ବଗିରେ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ବେଳେ ସେମାନଙ୍କୁ ସାନିଟାଇଜର ଦିଆଯିବ ।

Leave A Reply

Your email address will not be published.